୨ ବର୍ଷ ପରେ ପୁଣି କାର୍ଯ୍ୟକ୍ଷମ ହେଲା କାଜୁ ପ୍ରୋସେସିଙ୍ଗ ପ୍ଲାଣ୍ଟ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ବଣ୍ଡା ଜନଜାତିର ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡ଼ାଠାରେ ବନ୍ଦଥିବା ମାଲ୍ୟବନ୍ତ କାଜୁ ପ୍ରକ୍ରିୟାକରଣ କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ କରିଛି ଜିଲ୍ଲା ପ୍ରଶାସନ।  ପ୍ରକାଶ ଯେ, ବଣ୍ଡା ଜନଜାତିଙ୍କ ଆର୍ଥିକ ବିକାଶ ପାଇଁ ଗତ ୨୦୧୭ ମସିହାରେ ଜିଲ୍ଲାର ମୁଣ୍ଡିଗୁଡ଼ାଠାରେ ମାଲ୍ୟବନ୍ତ କାଜୁ ପ୍ରକ୍ରିୟାକରଣ କେନ୍ଦ୍ର ଆରମ୍ଭ କରାଯାଇଥିଲା । ଅର୍ଥାଭାବ ଓ ପରିଚାଳନାଗତ ତ୍ରୁଟି ଯୋଗୁଁ ଏହା କାର୍ଯ୍ୟକ୍ଷମ ହେବାର ୧ ବର୍ଷପରେ ବନ୍ଦ ହୋଇଯାଇଥିଲା। ଏଠାରେ ପ୍ରାୟ ୫୧ ଟି ପରିବାରକୁ ତାଲିମ୍ ପ୍ରଦାନ କରି ଏହାକୁ ପ୍ୟାକେଟ କରି ବିକ୍ରି କରାଯାଉଥିଲା। ଲକଡାଉନ ଯୋଗୁଁ କାମ ଧନ୍ଦା ହରାଇଥିବା ବଣ୍ଡାଜନଜାତିଙ୍କୁ କାମ ଯୋଗାଇ ଦେବାପାଇଁ ଜିଲ୍ଲା ପ୍ରଶାସନ ଏହି କେନ୍ଦ୍ରକୁ ପୁଣି କାର୍ଯ୍ୟକ୍ଷମ କରିଛନ୍ତି। ବଣ୍ଡା ଉନ୍ନୟନ ପ୍ରକଳ୍ପ ଦ୍ୱାରା ଅନ୍ୟ ୩୪ ଜଣ ବଣ୍ଡା ମହିଳାଙ୍କୁ ଏକମାସ ଧରି ତାଲିମ୍ ପ୍ରଦାନ କରାଯାଉଛି।

ଏଣୁ ବଣ୍ଡା ଉନ୍ନୟନ ପ୍ରକଳ୍ପର ୫ ଟି ମହିଳା ଦଳକୁ ନେଇ ମାଲ୍ୟବନ୍ତ କାଜୁ ଉତ୍ପାଦନ ଓ ପ୍ରକ୍ରିୟାକରଣ ସମବାୟ ସମିତି ନାମକ ଏକ ସମିତି ଗଠନ କରାଯାଇ ଏହାର ଦାୟିତ୍ୱ ଦିଆଯାଇଛି। ଏହା ପୁନଃ କାର୍ଯ୍ୟକ୍ଷମ ହେବାପରେ ପୂର୍ବରୁ ୧୫ ଜଣ ମହିଳାଙ୍କ ସମେତ ବର୍ତ୍ତମାନ ତାଲିମ୍ ନେଇଥିବା ୩୪ ଜଣ ମହିଳା କାର୍ଯ୍ୟ କରୁଛନ୍ତି। ଏହି କେନ୍ଦ୍ର ପାଇଁ ୬୦୦ କ୍ୱାଣ୍ଟାଲ କାଜୁ ପ୍ରତିବର୍ଷ ଆବଶ୍ୟକ ଥିବାବେଳେ ଏଥିପାଇଁ ଅର୍ଥ, କାଜୁ ମଞ୍ଚି ଓ କିଛି ଯନ୍ତ୍ରପାତିର ଆବଶ୍ୟକତା ରହିଛି। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଆବଶ୍ୟକତା ମେଣ୍ଟାଇବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ନିଗମାନନ୍ଦ ବେହେରା, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଗଣେଶ ଚନ୍ଦ୍ର ବେହେରା ଓ ବିଡିଏର ପ୍ରକଳ୍ପ ନେତା ଦେବେନ୍ଦ୍ର ଚରଣ ମହାରୀ ଯୋଗଦେଇ ଏହାକୁ କିଭଳି ବର୍ଷସାରା କାର୍ଯ୍ୟକ୍ଷମ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରି ନିଷ୍ପତି ନିଆଯାଇଛି। ତେବେ ବଣ୍ଡା ମହିଳା ଓ ପ୍ରବାସୀ ଶ୍ରମିକଙ୍କୁ କିଭଳି କାମଧନ୍ଦା ଯୋଗାଇ ଦିଆଯିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଚେଷ୍ଠା ଜାରି ରହିଛି ବୋଲି ବିଡିଏର ପ୍ରକଳ୍ପ ନେତା ଶ୍ରୀ ମହାରୀ ପ୍ରକାଶ କରିଛନ୍ତି।