କରୋନା ମୁକାବିଲା: ଜିଲ୍ଲା ପ୍ରଶାସନର ସୂଚନାରେ ତାଳମେଳ ରହୁନି

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ-୧୯ ସମ୍ପର୍କିତ ସୂଚନା ସାମାଜିକ ଗଣମାଧ୍ୟମ ଯଥା ହ୍ୱାଟ୍ସ ଆପ, ଟୁଇଟର ଆଦିରେ ଅନ୍ୟ ଜିଲ୍ଲାମାନଙ୍କ ଠାରୁ ବିଳମ୍ବରେ ପ୍ରଦାନ କରାଯାଉଥିବା ବେଳେ ଦିଆଯାଉଥିବା ତଥ୍ୟରେ ତାଳମେଳ ରହୁନଥିବା ପରିଲକ୍ଷିତ ହୋଇଛି। ଯାହାକୁ ନେଇ ପ୍ରଶାସନ ଉପରକୁ ଉଠିଛି ଅଙ୍ଗୁଳି। ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟରରେ ଗତ ଜୁନ ୧୮ ତାରିଖ କରୋନା ସମ୍ପର୍କିତ ଜାରି କରାଯାଇଥିବା ସୂଚନା ଆଧାରରେ ଉକ୍ତ ଦିନ ଜିଲ୍ଲାରେ କୌଣସି ପଜିଟିଭ କେଶ ଆସିନାହିଁ।

ଏଥିସହିତ ୧୮ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ୍ ପଜିଟିଭ ସଂଖ୍ୟା ୧୨୬ ରହିଥିବାବେଳେ ୨୪ ଘଣ୍ଟା ମଧ୍ୟରେ କୋଭିଡ ହସ୍ପିଟାଲରୁ ୯ ଜଣ ସୁସ୍ଥହୋଇ ଫେରିଛନ୍ତି। ଏବଂ ୧୮ ତାରିଖ ସୁଦ୍ଧା ଜିଲ୍ଲାରେ କୋଭିଡ଼ ହସ୍ପିଟାଲରୁ ମୋଟ୍ ୮୨ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ କେଶ ୪୩ ରହିଛନ୍ତି। ତେବେ ଜିଲ୍ଲାରେ ମୋଟ୍ ୧୨୬ ପଜିଟିଭ କେଶ ଚିହ୍ନଟ ହୋଇଛନ୍ତି। ସୁସ୍ଥ ସଂଖ୍ୟା ୮୨ ଓ ସକ୍ରିୟ ସଂଖ୍ୟା ୪୩ କୁ ମିଶାଇଲେ ୧୨୫ ହେଉଥିବାବେଳେ ଅବଶିଷ୍ଟ ଜଣକୁ ନେଇ ଉଠିଛି ଅଙ୍ଗିଳି।