କ୍ୟୁଏସ ଆଇ-ଗଜ ଡାଇମଣ୍ଡ ୟୁନିଭର୍ସିଟି ରେଟିଂ, ପୂର୍ବ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଲା ସୋଆ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଉ ଏକ ସଫଳତା ସାଉଁଟିଛି ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସଟି)। କ୍ୟୁଏସ ଆଇ-ଗଜ ପକ୍ଷରୁ ଡାଇମଣ୍ଡ ୟୁନିଭର୍ସିଟି ରେଟିଂ ହାସଲ କରିଛି ସୋଆ। ଏହି ସଫଳତା ହାସଲ କରିବା ପରେ କ୍ୟୁଏସ୍ ଆଇ-ଗଜ ପକ୍ଷରୁ କୁହାଯାଇଛି ଯେ ଡାଇମଣ୍ଡ ରେଟିଂ ହାସଲ କରିବା ନେଇ ସୋଆ ଅଭୁତପୂର୍ବ ପାରଦର୍ଶିତା ପ୍ରଦର୍ଶନ କରିଛି। ପୂର୍ବ ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସଫଳତା ହାସଲ କରି ସୋଆ। ଏହି ରେଟିଂର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷା ପ୍ରଦାନ ଏବଂ ଶିକ୍ଷା ଗ୍ରହଣ, ଗବେଷଣା, ସାମାଜିକ ଦାୟିତ୍ୱ, ଫ୍ୟାକଲ୍ଟିମାନଙ୍କ ଗୁଣବତ୍ତା, ଛାତ୍ରଛାତ୍ରୀମାନଙ୍କର ନିଯୁକ୍ତି ନିମନ୍ତେ ଯୋଗ୍ୟତା ଓ ଉପଲବ୍ଧ ସୁବିଧା ସୁଯୋଗ ଇତ୍ୟାଦିର ମୂଲ୍ୟାୟନ କରାଯାଇଥିବାବେଳେ ବିଶ୍ୱବିଦ୍ୟାଳୟର ପ୍ରଦର୍ଶନ ରହିଥିଲା। ଏହି ସମସ୍ତ ମାପଦଣ୍ଡକୁ ନେଇ ସୋଆ ଡାଇମଣ୍ଡ ରେଟିଂ ହାସଲ କରିଛି ବୋଲି କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ କୁହାଯାଇଛି। ଉନ୍ନତମାନର ଗୁଣବତ୍ତା ଏବଂ ଉଚ୍ଚ ପାରଦର୍ଶିତାକୁ ନେଇ ସୋଆ କ୍ୟୁଏସ୍ ଆଇ-ଗଜ୍ ରେଟିଂରେ ପୂର୍ବ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଡାଇମଣ୍ଡ ରେଟିଂ ହାସଲ କରିଥିବାରୁ ଏହି ସଫଳତା ପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ସୋଆକୁ ଶୁଭେଚ୍ଛା ଜଣାଉଛି ବୋଲି କହିଛନ୍ତି କ୍ୟୁଏସ୍ ଆଇ-ଗଜର କ୍ଲାଏଣ୍ଟ ରିଲେସନସ ନିର୍ଦ୍ଦେଶକ ଶୁଭାୟୁ ନାଏକ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍ ର୍ୟାଙ୍କିଙ୍ଗ ଫ୍ରେମୱାର୍କରେ ଦେଶର ଶ୍ରେଷ୍ଠ ୨୦ତମ ବିଶ୍ୱବିଦ୍ୟାଳୟ ଭାବେ ସୋଆ ସ୍ଥାନୀତ ହୋଇଥିବାବେଳେ ନାକ ଦ୍ୱାରା ଏ’ ଗ୍ରେଡରେ ସ୍ୱୀକୃତି ପାଇଛି।