କଡ଼ା ସୁରକ୍ଷା ବଳୟରେ ବ୍ରାହ୍ମଣୀଗାଁରେ ପାଳନ ହେଲା ବଡ଼ଦିନ

ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ସମସ୍ତ ଚର୍ଚ୍ଚରେ କୋଭିଡ ନିୟମକୁ ମାନି ଶାନ୍ତି ଶୃଙ୍ଖଳାର ସହ ବଡ଼ଦିନ ପାର୍ବ ପାଳନ କରାଯାଇଛି। ବ୍ରାହ୍ମଣୀଗାଁ ଡିନେରୀର ଶିକରମାହା, ସରାମୂଳୀ, ଗଦାପୁର ଓ କାଟିଙ୍ଗିଆ ସ୍ଥିତ କାଥଲିକ ଚର୍ଚ୍ଚ ଏବଂ ଟ୍ରାଇବାଲ ଡାୟୋସେସ୍ ଅଫ କନ୍ଧମାଳ, ମାଣ୍ଡିପଙ୍କା , ଗଡ଼ମା ପାଷ୍ଟୋରେଟର ସମସ୍ତ ବାପଟିଷ୍ଟ ଚର୍ଚ୍ଚରେ ଶାନ୍ତି ଶୃଙ୍ଖଳାର ସହ ବଡ଼ଦିନ ପର୍ବ ପାଳନ କରାଯାଇଥିଲା।

ବ୍ରାହ୍ମଣୀଗାଁ ସ୍ଥିତ କାଥଲିକ ଚର୍ଚ୍ଚରେ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ୨୪ତାରିଖ ରାତିରେ ଖ୍ରୀଷ୍ଟ ବିଶ୍ୱସୀମାନେ ସମସ୍ତ ରୀତିନିତି ଅନୁଯାୟୀ ଉପାସନା କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ସ୍ଥାନୀୟ ପୁଲିସ୍ ପ୍ରଶାସନ ଦିବାରାତ୍ର କଡାପହରା ଦେଇ ସୁରକ୍ଷା ପ୍ରଦାନ କରିଥିବାରୁ ଗ୍ରାମ୍ୟକମିଟି ସଭାପତି ରମାକାନ୍ତ ବଲ୍ୟାରସିଂ ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ । କନ୍ଧମାଳ ଡ଼ି.ଏସ୍ପି ଏ. କେରକେଟାଙ୍କ ତତ୍ୱାବଧାନରେ ବ୍ରାହ୍ମଣୀଗାଁ ଥାନାଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏଥିରେ ଆଇଆଇସି ଅଲେଖ ଗରଡିଆ , ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ, ଏସଆଇ ସଂଗ୍ରାମ କେଶରୀ ଜେନା ସମେତ ସୁରକ୍ଷାକର୍ମୀ ଓ ଗୃହରକ୍ଷୀ ସାମିଲ ହୋଇଥିଲେ।