ପୁରୁଣା ମୁଖ୍ୟ ଡାକ୍ତରଖାନାରେ ସିସିଟିଭି ଭାଙ୍ଗି ୭ରୁ ଉର୍ଦ୍ଧ ପଙ୍ଖା ଓ ବହୁ ଯନ୍ତ୍ରାଂଶ ଚୋରୀ

ବରଗଡ଼,ଏନ୍ଏନ୍ଏସ୍:ବରଗଡ଼ ସହର ମଧ୍ୟରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଗତ କିଛି ଦିନ ମଧ୍ୟରେ ତିନି ଥର ଚୋରୀ ହୋଇଥିବା ଅଭିଯୋଗ ହୋଇଛି। କିଛି ଦିନ ହେବ ବନ୍ଦ ରହିଥିବା ଏସଏନସିୟୁ, ଲେବର ରୁମ ତଥା ସେବିକା ପ୍ରକୋଷ୍ଠର ତାଲା ଭାଙ୍ଗି ପ୍ରାୟ ୭ରୁ ଉର୍ଦ୍ଧ ପଙ୍ଖା ସହ ବିଭିନ୍ନ ଯନ୍ତ୍ରାଂଶ ଚୋରୀ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ପୁନର୍ବାର ଚୋରୀ କରିବା ସହ ସିସିଟିଭି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଖେଦାପାଲିକୁ ସ୍ଥାନାନ୍ତରଣ ହେବାପରେ ପୁରୁଣା ଡାକ୍ତରଖାନାର ବିଭିନ୍ନ ୱାର୍ଡ ଅସାମାଜିକ ତତ୍ୱଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ପରିଲକ୍ଷିତ ହୋଇଛି। ଏନେଇ ବରଗଡ଼ ଟାଉନ ଥାନାରେ ଅଭିଯୋଗ କରାଯିବା ସତ୍ୱେ ଚୋର କିମ୍ବା ଚୋରୀ ସାମଗ୍ରୀ ଉଦ୍ଧାର ହୋଇ ପାରିନାହିଁ । ଆଉ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି।