ହତ୍ୟା ଅଭିଯୁକ୍ତକୁ ମାନ୍ୟବର ଏଡିଜେଙ୍କ ଆଜୀବନ କାରାଦଣ୍ଡାଦେଶ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ଭେଡେନ ଥାନା ଅଏଁଲାକଟା ଗ୍ରାମରେ ଗତ ୨୦୧୫ ମସିହାରେ ଘଟିଥିବା ଏକ ଜଘନ୍ୟ ହତ୍ୟାକାଣ୍ଡର ଶୁଣାଣି କରି ବରଗଡ଼ ଅତିରିକ୍ତ ଜିଲ୍ଲା ଜଜ୍ ଆଙ୍କାକ୍ଷିତ ମିଶ୍ର ଅଭିଯୁକ୍ତ ରାମ ପାତ୍ରକୁ ଆଜୀବନ କାରାଦଣ୍ଡର ଆଦେଶ ଦେଇଛନ୍ତି । ଘଟଣାର ବିବରଣୀ ଅନୁଯାୟୀ, ୨୦୧୫ ମସିହା ଅକ୍ଟୋବର ୩୦ ତାରିଖରେ ଅଏଁଲାକଟା ଗ୍ରାମର ବିରଞ୍ଚି ନାଗ ତାଙ୍କ ସ୍ତ୍ରୀ ରମା ନାଗ ଏବଂ ପୁଅ ଜଗବନ୍ଧୁ ଘରେ ଥିବାବେଳେ ସନ୍ଧ୍ୟା ସମୟରେ ଅଭିଯୁକ୍ତ ରାମ ପାତ୍ର ତାଙ୍କ ଭିତରକୁ ଜବରଦସ୍ତି ପଶି ଗଣ୍ଡଗୋଳ କରିବା ସହ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲା । ରମା ନାଗ ଓ ଜଗବନ୍ଧୁ ନାଗ ଅଭିଯୁକ୍ତ ରାମ ପାତ୍ରକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ହେଁ ଆକ୍ରମଣରେ କ୍ଷତାକ୍ତ ହୋଇ ଉଭୟ ସଜ୍ଞାହୀନ ହୋଇପଡିଥିଲେ। ପରେ ସ୍ଥାନୀୟଲୋକେ ରକ୍ତାକ୍ତ ଅବସ୍ଥାରେ ତିନି ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ରମା ନାଗ ଏବଂ ତାଙ୍କ ପୁଅ ଜଗବନ୍ଧୁଙ୍କ ମୃତ୍ୟୁ ହୋଇଥିଲା ।

ଏ ନେଇ ବିରଞ୍ଚି ନାଗ ଭେଡେନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଭେଡେନ ପୁଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସରକାରଙ୍କ ପକ୍ଷରୁ ୧୭ ଜଣ ସାକ୍ଷ୍ୟଙ୍କ ବୟାନ ଓ ଅନ୍ୟାନ୍ୟ ପାରିପାଶ୍ୱିର୍କ ପ୍ରମାଣକୁ ଭିତ୍ତିକରି ବରଗଡ଼ ମାନ୍ୟବର ଅତିରିକ୍ତ ଜିଲ୍ଳା ଦୌରାଜଜ୍ ଆଙ୍କାକ୍ଷିତ ମିଶ୍ର ଅଭିଯୁକ୍ତ ରାମ ପାତ୍ରକୁ ଆଜୀବନ କାରାଦଣ୍ଡର ଆଦେଶ ଦେବାସହ ସର୍ବମୋଟ ୫୦ ହଜାର ଟଙ୍କା ବିଭିନ୍ନ ଦଫାରେ ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି । ଜୋରିମାନା ଅର୍ଥ ଆଦାୟ ହେଲେ ଅଭିଯୋଗକାରୀ ବିରଞ୍ଚି ନାଗକୁ ପ୍ରଦାନ କରିବାକୁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ କ୍ୟାଡେର ସରକାରୀ ଓକିଲ ମନୋଜ କୁମାର ଏକ୍କା ମାମଲା ପରିଚାଳନା କରିଥିଲେ ।