‘ନିଷ୍ଠା’ ପରିବାର ଦ୍ୱାରା ଅଜଣା ବୃଦ୍ଧଙ୍କ ଶବ ସତ୍କାର

ବରଗଡ଼, ଏନ୍ଏନ୍ଏସ୍: ଶୁକ୍ରବାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ନିଷ୍ଠା’ ପରିବାର ତରଫରୁ ଜଣେ ଅଜଣା ବୃଦ୍ଧଙ୍କ ଶବ ସତ୍କାର କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ବରଗଡ଼ ରେଳଷ୍ଟେସନ ନିକଟରେ ଏହି ୭୫ ବର୍ଷୀୟ ଅଜଣା ବୃଦ୍ଧ ଜଣକ ରାସ୍ତା କଡ଼ରେ ପଡି ରହିଥିଲେ। ସକାଳୁ ସନ୍ଦୀପ ନାମକ ଜଣେ ଯୁବକ ନିଷ୍ଠା ପରିବାରକୁ ଫୋନ କରି ଏହି ଖବର ଦେବାପରେ ତାକୁ ୧୦୮ ଯୋଗେ ଉଦ୍ଧାର କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିବାରୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସାର କିଛି ସମୟପରେ ମୃତ୍ୟୁ ହୋଇଯାଇଥିଲା। ତାଙ୍କର କୌଣସି ପରିଚୟ ନ ମିଳିବାରୁ ପୁଲିସର ଅନୁମତି ପରେ ଶୁକ୍ରବାର ଜିରାନଦୀ ସ୍ୱର୍ଗଦ୍ୱାରରେ ନିଷ୍ଠା ପରିବାର ଦ୍ୱାରା ଶବଦାହ କରାଯାଇଥିଲା। ଏହି ମହତ କାର୍ଯ୍ୟରେ ନିଷ୍ଠା ପରିବାରର ଉପଦେଷ୍ଟା ବିଦ୍ୟାଧର ଭୋଇ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଦୟାନିଧି ଷଡ଼ଙ୍ଗୀ, ବୀରେନ୍ଦ୍ର ମହାନନ୍ଦ ଏବଂ ବିଦ୍ୟାଧର ବନଛୋର ପ୍ରମୁଖ ସହଯୋଗ କରିଥିଲେ।