ଜମି ବିବାଦକୁ ନେଇ ହତ୍ୟା

କୋଟପାଡ଼,ଏନ୍ଏନ୍ଏସ୍: ଜମିଜମା ବିବାଦକୁ ନେଇ କୋଟପାଡ଼ ଥାନା ଶଶାହାଣ୍ଡିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସୂଚନା ମୁତାବକ ଶଶାହାଣ୍ଡି ଗ୍ରାମର ଦଶରଥ ହରିଜନ, ଲକ୍ଷ୍ମଣ ହରିଜନ, କର୍ମୀ ହରିଜନଙ୍କ ମଧ୍ୟରେ ଜମିକୁ ନେଇ ବିବାଦ ଲାଗି ରହିଥିଲା। ଆଜି ସକାଳେ କୋଟପାଡ଼-ଜଗଦଲପୁର ୬୩ ନଂ ଜାତୀୟ ରାଜପଥ ଉପରେ ପରସ୍ପର ମଧ୍ୟରେ ବଚସା ହେବାପରେ ଦଶରଥଙ୍କୁ ଲକ୍ଷ୍ମଣ ଓ କର୍ମୀ ହରିଜନ ଛୁରି ଭୁଷିଥିବାବେଳେ ଦଶରଥ ମଧ୍ୟ କର୍ମୀକୁ ପ୍ରତି ଆକ୍ରମଣ କରିଥିଲା। ପରସ୍ପର ଆକ୍ରମଣରେ ଦଶରଥର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିବାବେଳେ କର୍ମୀ ହରିଜନ ଗୁରୁତର ଆହତ ହୋଇଥିଲା। ଦଶରଥର ମୃତଦେହ ରାଜପଥ କଡ଼ରେ ପଡ଼ିଥିବା ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ। କୋଟପାଡ଼ ସବଇନ୍ସପେକ୍ଟର ପ୍ରଦୀପ ମହାପାତ୍ର, ଏଏସଆଇ ନିରଦ କୁମାର ବାଘ ଓ ଅନ୍ୟମାନେ ପହଞ୍ଚି ମୃତଦେହ ଜବତ କରିବା ସହ ଗୁରୁତର କର୍ମୀ ହରିଜନକୁ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଇ ଥିବାବେଳେ ଅନ୍ୟ ଅଭିଯୁକ୍ତ ଲକ୍ଷ୍ମଣକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।