ବରଗଡ଼: ଧାନ ବିକ୍ରି କରିନପାରି ବହୁ ଚାଷୀ ଜିଲ୍ଲା ପ୍ରାଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଭେଡେନ ବ୍ଲକ ପପଙ୍ଗା ଚାଷୀମାନଙ୍କ କ୍ଷେତ୍ରରେ। ଧାନ ଅମଳ ପୂର୍ବରୁ ଚାଷୀଙ୍କୁ ଟୋକନ ଦିଆଯିବାରୁ ଏଭଳି ସମସ୍ୟା ଉପୁଜିଛିଥିବା କୁହାଯାଉଛି। ଏନେଇ ପପଙ୍ଗା ମାର୍କେଟ ୟାର୍ଡର ବହୁ ଚାଷୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।
ପ୍ରକାଶ ଥାଉକି, କରୋନା ଯୋଗୁଁ ଧାନ ଅମଳ ବିଳମ୍ବରେ ହୋଇଥିବାବେଳେ ସେହି ସମୟରେ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଥିଲା। ଏବେ ଟୋକନଗୁଡିକ ଅକାମୀ ହୋଇଯିବାରୁ ଚାଷୀମାନେ ଧାନ ବିକ୍ରି କରି ପାରୁନାହାଁନ୍ତି । ଅପରପକ୍ଷେ ଗତ ୨୩ ତାରିଖରୁ ପପଙ୍ଗା ମାର୍କେଟ ୟାର୍ଡକୁ ନୂଆ ଏଣ୍ଟ୍ରି ମଧ୍ୟ ବନ୍ଦ ହୋଇଯାଇଛି । ଫଳରେ ପପଙ୍ଗା ମାର୍କେଟ ଅଧୀନରେ ଥିବା ସିଆଲଖଣ୍ଡହତା, ସଂକ୍ରିଡ଼ା ଏବଂ ରୁଶୁଡ଼ା ପ୍ୟାକ୍ସର ଚାଷୀମାନେ ପ୍ରାୟ ୩ ହଜାର କ୍ୱିଣ୍ଟାଲ ଧାନ ବିକ୍ରି କରିପାରିନାହାଁନ୍ତି। ଏବେ ସମ୍ପୃକ୍ତ ଚାଷୀମାନେ ଆଗାମୀ ଚାଷ ପାଇଁ ପ୍ରସ୍ତୁତ ହେବା ବଦଳରେ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଧାନ ବିକ୍ରିର ସୁବନ୍ଦୋବସ୍ତ ପାଇଁ ଦାବି କରିଛନ୍ତି। ଏହାସହ ଆଉ ଗୋଟିଏ ଦିନ ଧାନ ବିକ୍ରି ପାଇଁ ତାରିଖ ଘୋଷଣା କରିବାକୁ ଦାବି କରିଛନ୍ତି । ବୁଧବାର ଚାଷୀମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।