ନୋଟିସ ପରେବି ସବସେଣ୍ଟର ଓ କ୍ୱାର୍ଟର ହସ୍ତାନ୍ତର କରୁନାହାଁନ୍ତି ଅବସରପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ ସବହେଲଥ ସେଣ୍ଟର ଓ କ୍ୱାର୍ଟରକୁ ଅବସରପ୍ରାପ୍ତ ସ୍ୱାସ୍ଥକର୍ମୀ ରତ୍ନମଣି ଦେଇ ବେଆଇନ କବ୍ ଜା କରିଥିବା ଅଭିଯୋଗ ହୋଇଛି। ଲଖନପୁର ସିଏଚସି ମେଡିକାଲ ଅଫିସର ଗତ ୧୦ ତାରିଖରେ ଶ୍ରୀମତି ଦେଇଙ୍କୁ ସବସେଣ୍ଟର ଓ କ୍ୱାର୍ଟର ହସ୍ତାନ୍ତର କରିବାପାଇଁ ନୋଟିସ କରିଥିଲେ। ହେଲେ ଶ୍ରୀମତି ଦେଇ ଏହାକୁ ଭୃକ୍ଷେପ କରି ନଥିଲେ। ଏହାସହ ଶ୍ରୀମତି ଦେଇଙ୍କୁ ପ୍ରାୟ ୬୯ ବର୍ଷ ହୋଇ ସାରିଲାଣି। କୋରନା ଲଢେଇରେ ସରକାର ବୃଦ୍ଧ ଓ ଶିଶୁମାନଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ତେଣୁ ସେ ବେଲପାହାଡ଼ ସବହେଲଥ ସେଣ୍ଟରରେ ନିଯୁକ୍ତି ପାଇଥିବା ସ୍ୱାସ୍ଥ୍ୟକର୍ମୀ ବୀଣାପାଣି ପଟେଲଙ୍କୁ ଶୀଘ୍ର କ୍ୱାର୍ଟର ହସ୍ତାନ୍ତର କରନ୍ତୁ ବୋଲି ଦାବି ହୋଇଛି।

ଏନେଇ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ପଚାରିବାରୁ କହିଛନ୍ତି ଶ୍ରୀମତି ଦେଇ ସରକାରୀ ଏଏନଏମ୍ ନାହାଁନ୍ତି। ତାଙ୍କର କାର୍ଯକାଳ ଶେଷ ହୋଇସାରିଛି। ତେଣୁ ତାଙ୍କ ବିରୋଧରେ ଲୋକେ ଆଣିଥିବା ଅଭିଯୋଗ ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଜଗଦୀଶ ଚନ୍ଦ୍ର ବାରିକଙ୍କୁ ପଚାରିବାରୁ କହିଛନ୍ତି ଶ୍ରୀମତି ଦେଇଙ୍କ କାର୍ଯ୍ୟକାଳ ବହୁଦିନ ପୂର୍ବରୁ ଶେଷ ହୋଇସାରିଛି। ଏବେ ତାଙ୍କର କାର୍ଯ୍ୟକାଳ ବଢ଼ାଯିବନାହିଁ। ଏନେଇ ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ହସ୍ତାନ୍ତର କରାଯାଇଛି।