ପ୍ରଫେସର ନାରାୟଣ ପୃଷେଠଙ୍କ ଜୟନ୍ତୀ ପାଳିତ

ବରଗଡ଼, ଏନ୍ଏନ୍ଏସ୍: ବିଶିଷ୍ଟ ସାହିତ୍ୟକ ସ୍ୱର୍ଗତ ନାରାୟଣ ପୃଷେଠଙ୍କ ୭୮ ତମ ଜୟନ୍ତୀ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଦ୍ୱାରା ପାଳିତ ହୋଇଯାଇଛି। ପ୍ରଫେସର ନାରାୟଣ ପୃଷେଠ ସ୍ମୃତି ସମିତି ବରଗଡ଼ ପକ୍ଷରୁ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘର ରାଧାବଲ୍ଲଭ ମିଶ୍ର ସ୍ମାରକୀ ହଲ ଠାରେ ଆୟୋଜିତ ନିରାଡ଼ମ୍ବର ଉତ୍ସବରେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଗାନ୍ଧୀ ସ୍ମୃତି ପାଠାଗାରର ଅଧ୍ୟକ୍ଷ ଅରୁଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ପ୍ରାରମ୍ଭରେ ପ୍ରଫେସର ନାରାୟଣ ପୃଷେଠଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ଭାରତ ସୀମାନ୍ତରେ ସହିଦ ହୋଇଥିବା ଜୱାନଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରା ଯାଇଥିଲା। ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡ. ପ୍ରଦୀପ ହୋତା ପ୍ରଫେସର ନରାୟଣ ପୃଷେଠଙ୍କ ସାହିତ୍ୟ କୃତୀ, ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କୁ ପଶ୍ଚିମ ଓଡ଼ଶାର ଜନୈକ ହିତୈଶୀ ଭାବେ ବର୍ଣ୍ଣନା କରିଥିଲେ। ସେହିପରି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ପ୍ରଫେସର ନାରାୟଣ ପୃଷେଠଙ୍କ ବରଗଡ଼ ପ୍ରତି ଅବଦାନ ସମ୍ପର୍କରେ ସୂଚନ ଦେବା ସହ ତାଙ୍କ ସ୍ମୃତି ରକ୍ଷା ନିମନ୍ତେ ବରଗଡ଼ ଗାନ୍ଧୀ ଛକରୁ ଭଟଲି ରୋଡ଼ ଛକ ମଧ୍ୟରେ ନିର୍ମାଣାଧିନ ଚାରିଲେନ ବିଶିଷ୍ଟ ସଡ଼କର ମଧ୍ୟମାରେ ପ୍ରଫେସର ପୃଷେଠଙ୍କ ଏକ ପ୍ରତିମୂର୍ତି ସ୍ଥାପନା କରାଯିବାର ସୂଚନା ଦେଇଥିଲେ। ସେହିପରି ବରଗଡ଼ ଜିଲ୍ଲା ସାହିତ୍ୟ ସଂସଦର ଆବାହକ ତଥା ବିଶିଷ୍ଟ ବ୍ୟଙ୍ଗ ସାହିତ୍ୟିକ ମନୋରଞ୍ଜନ ସାହୁ ତାଙ୍କ ବକ୍ତବ୍ୟରେ ପ୍ରଫେସର ପୃଷେଠଙ୍କୁ ଏକ ସୃଜନଶୀଳ ବହୁମୁଖୀ ପ୍ରତିଭା ଭାବେ ଅବିହିତ କରିଥିଲେ। ଏହି ଅବସରରେ ବରଗଡ଼ ଜିଲ୍ଲାର ଏକମାତ୍ର ଜୀବିତ ସ୍ୱାଧିନତା ସଂଗ୍ରାମୀ ଜିତେନ୍ଦ୍ରୀୟ ପ୍ରଧାନ ପ୍ରଥମ ସମ୍ବଲପୁରୀ /କୋଶଲୀ ଚଳଚିତ୍ର ଭୁଖା ଏବଂ ପ୍ରଥମ ସମ୍ବଲପୁରୀ ଏଲ୍ପି ରେକର୍ଡ ‘ନାବକେଲି’ର ସଙ୍ଗୀତ ନିର୍ଦ୍ଦେଶକ ରମେଶ ମହାନନ୍ଦଙ୍କୁ ଚଳିତବର୍ଷର ସମ୍ମାନ ଜନକ ପ୍ରଫେର ନାରାୟଣ ପୃଷେଠ ସ୍ମୃତି ସମ୍ମାନ ୨୦୨୦ ପ୍ରଦାନ କରାଯାଇଥିଲା। ବିଧାୟକ ଦେବେଶ ଆଚାର୍ଯ୍ୟ ,ସଭାପତି ଅରୁଣ ମହାନ୍ତି, ସାହିତ୍ୟକ ମନୋରଞ୍ଜନ ସାହୁ , ଡ. ପ୍ରଦୀପ ହୋତା ପ୍ରମୁଖ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିବା ସମୟରେ ବିଶିଷ୍ଟ ଚଳଚିତ୍ର ନିର୍ଦ୍ଦେଶକ ଲିଟୁ ମହାନ୍ତି ମାନପତ୍ର ପାଠ କରିଥିଲେ। ଗାନ୍ଧୀ ସ୍ମୃତି ପାଠାଗାରର ଅଧ୍ୟକ୍ଷ ଅରୁଣ ମହାନ୍ତି ଦିବଙ୍ଗତ ନାରାୟଣ ପୃଷେଠଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ।

ପରିଶେଷରେ ବରଗଡ଼ ସାମ୍ବାଦିକ ସଂଘର ସମ୍ପାଦକ ରବିନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବୟସାଧିକ୍ୟ ଯୋଗୁଁ ସ୍ୱାଧିନତା ସଂଗ୍ରାମୀ ଜିତେନ୍ଦ୍ରୀୟ ପ୍ରଧାନ ଅନୁପସ୍ଥିତ ଥିôବାରୁ ସ୍ୱର୍ଗତ ନାରାୟଣ ପୃଷେଠଙ୍କ ସୁପୁତ୍ର ସୁଜିତ ପୃଷେଠ,ସାମ୍ବାଦିକ ସରୋଜ ଷଡ଼ଙ୍ଗୀ, ଅଧ୍ୟାପକ ଟେକଚାନ୍ଦ ଦୁଆନ, ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ପ୍ରମୁଖ ପାଣିମୋରା ଯାଇ ସ୍ୱାଧିନତା ସଂଗ୍ରାମୀ ଜିତେନ୍ଦ୍ରୀୟ ପ୍ରଧାନଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତାଙ୍କ ଅଧ୍ୟକ୍ଷତାରେ ପାଣିମୋରା ଜଗନ୍ନାଥ ମନ୍ଦିରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟାପକ ଟେକଚାନ୍ଦ ଦୁଆନ, ଡ଼. ଶିଶିର ସାହୁ ପ୍ରମୁଖ ବକ୍ତବ୍ୟ ଉପସ୍ଥାପିତ କରିଥିଲେ। ଲକଡାଉନ ଯୋଗୁଁ ସାମାଜିକ ଦୂରତା ରକ୍ଷା ପୂର୍ବକ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।