ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭୂତାଣୁରୁ ମୁକ୍ତ ରହିଛି ବଣ୍ଡାଘାଟି ଜିଲ୍ଲା By Nitidin On Sep 24, 2020 Share ମାଲକାନଗିରି,ଏନ୍ଏନ୍ଏସ୍: ସମୁଦ୍ର ପତନଠାରୁ ପ୍ରାୟ୫ ହଜାର ଫୁଟ ଉଚ୍ଚରେ ଥିବା ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟି ବର୍ତ୍ତମାନ ସୁଦ୍ଧା କରୋନା ଭୂତାଣୁ ମୁକ୍ତ ରହିଛି। ମାଲକାନଗିରି ଜିଲ୍ଲାରେ ଦୈନନ୍ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ହଜାରରୁ ଊର୍ଦ୍ଧ୍ୱରେ ପହଞ୍ଚିଛି। ଏହି ମଧ୍ୟରେ ଖଇରପୁଟ ବ୍ଲକର ଅନ୍ୟାନ୍ୟ ପଞ୍ଚାୟତରେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଣ୍ଡାଘାଟିରେ କେହି ସଂକ୍ରମିତ ଚିହ୍ନଟ ହୋଇନଥିବା ଜଣାପଡ଼ିଛି। ବଣ୍ଡାଘାଟିର ମୁଦୁଲିପଡ଼ା ଓ ଅଣ୍ଡ୍ରାହଲ ପଞ୍ଚାୟତର ୩୨ ଟି ଗ୍ରାମରେ ପ୍ରାୟ ୭ ଜଜାର ବଣ୍ଡା ଲୋକ ରହନ୍ତି। ଏମାନଙ୍କ ମଧ୍ୟରେ ଶିକ୍ଷିତ ସଂଖ୍ୟା ବହୁତ କମ ଥିବା ସତ୍ତ୍ୱେ ଏହି ଅଞ୍ଚଳରେ କରୋନା ମହାମାରୀ ପହଞ୍ଚିନଥିବା ବିଷୟକୁ ସମସ୍ତଙ୍କୁ ଚକିତ କରିଦେଇଛି। ଏହା ଅନ୍ୟ ଶିକ୍ଷିତ ସମାଜ ପାଇଁ ଏକ ଉଦାହରଣ ପାଲଟିଛି। ଏଠାକାର ଅଧିକାଂଶ ଲୋକ ବର୍ତ୍ତମାନ ସୁଦ୍ଧା କରୋନା ମହାମାରୀ ବିଷୟରେ ଅଜ୍ଞ ଥିବାବେଳେ ସେଠାକାର କିଛି ଶିକ୍ଷିତ ସେମାନଙ୍କୁ ମାସ୍କ ବ୍ୟବହାର, ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା ଉପରେ ସଚେତନ କରୁଛନ୍ତି। ତେବେ କରୋନା ସଂକ୍ରମଣ ଆରମ୍ଭ ହେବା ସମୟରୁ ପ୍ରାୟତଃ ସେମାନେ ଖଇରପୁଟ ଆସୁନଥିବାବେଳେ ଜିଲ୍ଲା ପ୍ରଶାସନର ନିୟମକୁ ପାଳନ କରୁଛନ୍ତି। ଏହା ବ୍ୟତୀତ ବଣ୍ଡା ଜନଜାତିର ଲୋକେ ଅଧିକ ଶାରୀରିକ କାର୍ଯ୍ୟ କରିଥାନ୍ତି। ସେହିପରି ନିଜ ଉତ୍ପାଦିତ ଶସ୍ୟ ଧାନ, ବାଜରା, ମାଣ୍ଡିଆ ଖାଦ୍ୟରେ ଗ୍ରହଣ କରିବା ସହ ବନ୍ୟଜାତ ଖାଦ୍ୟ ବ୍ୟବହାର କରିଥାନ୍ତି। ଏହି ଅଞ୍ଚଳକୁ ଗମନାଗମନର ସୁବିଧା ନଥିବାରୁ ସେମାନେ ପ୍ରାୟ ୨୨ କିଲୋମିଟର ପାହାଡ଼ ପର୍ବତ ପଥ ଅତିକ୍ରମ କରି ଖଇରପୁଟ ଆସିଥାନ୍ତି। ଏହାଦ୍ୱାରା ସେମାନଙ୍କର ସାଧାରଣ ମନୁଷ୍ୟ ଅପେକ୍ଷା ରୋଗ ପ୍ରତିରୋଧକ କ୍ଷମତା ଅଧିକ ବୋଲି ମଧ୍ୟ ଅନେକ ବୋଲି ମତ ଦେଇଛନ୍ତି। ତେବେ ନିୟୁଟ୍ରି ଗାର୍ଡେନ ମାଧ୍ୟମରେ ସେମାନଙ୍କୁ ପ୍ରୋଟିନ ଯୁକ୍ତ ଖାଦ୍ୟ ମିଳିପାରୁଛି ବୋଲି ଖଇରପୁଟ ବିଡିଓ ହୃଦା ରଞ୍ଜନ ସାହୁ ପ୍ରକାଶ କରିଛନ୍ତି। Share