ଆଜିଠୁ ଆରମ୍ଭ ବାଲିଯାତ୍ରା

କଟକ : ଆଜିଠୁ କଟକରେ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା। ୮ଦିନ ଧରି ଚାଲିବାକୁ ଥିବା ଏହି ସର୍ବବୃହତ ବାଣିଜ୍ୟିକ ମହାକୁମ୍ଭ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଶହ ଶହ ସଂଖ୍ୟାରେ ବ୍ୟବସାୟୀ ନିଜର ଦୋକାନ ଖୋଲିଲେଣି। ଆଜି ସନ୍ଧ୍ୟାରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ୍ କରିବାର କାର୍ୟ୍ୟକ୍ରମ ରହିଛି। ବାଲିଯାତ୍ରାକୁ ଏଥର ରାଜ୍ୟସ୍ତରୀୟ ମେଳାର ମାନ୍ୟତା ମିଳିଥିବାରୁ ଏ ବର୍ଷ ଯାତ୍ରା ଆୟୋଜନକୁ ଅଧିକ ସରସ ସୁନ୍ଦର କରିବାକୁ ଲାଗି ପଡ଼ିଛି କଟକ ଜିଲ୍ଲା ପ୍ରଶାସନ। ବାଲିଯାତ୍ରା ପାଇଁ କମିଶନରେଟ ପୁଲିସ୍ ପକ୍ଷରୁ ଯାନବାହନ ଉପରେ କଟକଣା କରାଯାଇଛି। ଏହି କଟକଣା ଅପରାହ୍ଣ ୩ଟାରୁ ଲାଗୁହେବ ଓ ଭିଡ଼ ଭାଙ୍ଗିବା ପର୍ୟ୍ୟନ୍ତ ଏହା ବଳବତ୍ତର ରହିବ। କମିଶନରେଟ ପୁଲିସ୍ ପକ୍ଷରୁ ୧୦ଟି ପାର୍କିଂ ସ୍ଥାନ ଘୋଷଣା ହୋଇଛି।