ବଲଦା ଖଣି ସମ୍ମୁଖରେ ଧାରଣା ଜାରି: ସରକାରଙ୍କର କ୍ଷତି ୧୧୨ କୋଟି ଟପିଲା

କେନ୍ଦୁଝର,ଏନ୍‌ଏନ୍‌ଏସ୍‌: କେନ୍ଦୁଝର ଜିଲ୍ଲା ବଲଦା ଖଣିର ମୁଖ୍ୟ ଫାଟକ ସମ୍ମୁଖରେ ଚାଲିଥିବା ଧାରଣା ଯୋଗୁଁ ଲୁହାପଥର ପରିବହନ କାର୍ଯ୍ୟ ଏ ଯାଏଁ ଆରମ୍ଭ ହୋଇପାରି ନାହିଁ। ତେଣୁ ରାଜ୍ୟ ସରକାରଙ୍କ ଦୈନିକ କ୍ଷତିର ପରିମାଣ ଆଜି ସୁଦ୍ଧା ୧୧୨ କୋଟି ୫୦ ଲକ୍ଷ ଟଙ୍କାରେ ପହଞ୍ଚିଛି। ଇତିମଧ୍ୟରେ ଧାରଣା ସ୍ଥଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି କମ୍ପାନୀ ପକ୍ଷରୁ ପ୍ରଶାସନକୁ ଅବଗତ କରାଯାଇଛି।

ଦୀର୍ଘ ୬ ଦିନ ଧରି ବଲଦା ଲୁହାପଥର ଖଣିର ମୁଖ୍ୟ ଫାଟକ ସମ୍ମୁଖରେ ବଲଦା ପଞ୍ଚାୟତର କିଛି ଲୋକ ୮୦ ପ୍ରତିଶତ ପରିବହନ କାମ ପାଇବା ଦାବିରେ ଧାରଣା ଚଳାଇଛନ୍ତି। ଫଳରେ ଖଣିରୁ ଲୁହାପଥର ପରିବହନ କାମ ଆଦୌ ଆରମ୍ଭ ହୋଇପାରିନାହିଁ। କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏହି ଆନ୍ଦୋଳନକୁ ତେଜୁଥିବା କାହାକୁ ଅଛପା ନାହିଁ। ତେଣୁ କାଳିମାଟି, ନୟାଗଡ଼ ଓ ପଲ୍‌ସା ପ୍ରଭୃତି ଅନ୍ୟ ୩ ପଞ୍ଚାୟତର ଲୋକଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପୁଥିବାର ସୂଚନା ମିଳିଛି। କାରଣ ବଲଦା ସମେତ ଏହି ୩ ପଞ୍ଚାୟତ ମଧ୍ୟରେ କମ୍ପାନୀ କର୍ତ୍ତୃପକ୍ଷ ୨୫ ପ୍ରତିଶତ ହିସାବରେ ପରିବହନ କାମ ବାଣ୍ଟିଥିଲେ। ବଲଦା ପଞ୍ଚାୟତର କିଛି ଲୋକଙ୍କ ଧାରଣା ଯୋଗୁଁ ଅନ୍ୟ ୩ ପଞ୍ଚାୟତର ଲୋକ ପରିବହନ କାମ କରିପାରୁ ନାହାନ୍ତି।

କେବଳ ସେତିକି ନୁହେଁ ବଲଦା ପଞ୍ଚାୟତର ଦାବିକୁ ଏହି ୩ ପଞ୍ଚାୟତ ମଧ୍ୟ ଗ୍ରହଣ କରିପାରୁ ନାହାନ୍ତି। ବଲଦା ଯଦି ଏକାକୀ ୮୦ ପ୍ରତିଶତ କାମ ପାଇବ ତେବେ ୩ ପଞ୍ଚାୟତ କିପରି ମାତ୍ର ୨୦ ପ୍ରତିଶତ କାମ ପାଇବେ ବୋଲି ସେମାନେ ପ୍ରଶ୍ନ କରିବା ଆରମ୍ଭ କଲେଣି। ଗତ ୧୫ ତାରିଖଠାରୁ ପରିବହନ କାମ ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିବାରୁ ୩ ପଞ୍ଚାୟତର ଲୋକ ସେଥିପାଇଁ ପ୍ରସ୍ତୁତ ହୋଇ ରହିଥିଲେ। କିଛି ଲୋକ ଋଣ କରି ଟ୍ରକ୍ ବା ଡମ୍ଫର କିଣି ଥିବା ବେଳେ ଆଉ କିଛି ଲୋକ ଭଡ଼ା ସୂତ୍ରରେ ନେଇଛନ୍ତି। ସେମାନଙ୍କ ଟ୍ରକ୍ ବା ଡମ୍ଫର ଏବେ ଛିଡ଼ା ହୋଇ ରହିଛି। ଏଣେ ବ୍ୟାଙ୍କ ସୁଧ ଓ ଭଡ଼ା ବଢ଼ି ବଢ଼ି ଚାଲିଛି। ଗୋଟିଏ ପଞ୍ଚାୟତର ଅଳ୍ପ କିଛି ଲୋକଙ୍କ ଯୋଗୁଁ ସେମାନେ କାହିଁକି କ୍ଷତିଗ୍ରସ୍ତ ହେବେ ବୋଲି ପ୍ରଶ୍ନ କରୁଛନ୍ତି। ଏହି ଲୋକମାନେ ମଧ୍ୟ କହୁଥିବାର ସୂଚନା ମିଳିଛି ଯେ, ଗତ ୬ ଦିନ ମଧ୍ୟରେ ସେମାନେ ଯେତିକି କ୍ଷତି ସହିଲେଣି ତାହାକୁ କିଏ ଭରଣା କରିବ? ନିୟମ ଦୃଷ୍ଟିରୁ କମ୍ପାନୀର ଏଥିରେ କିଛି ତ୍ରୁଟି ନାହିଁ। କିଛି ଲୋକଙ୍କ ଯୋଗୁଁ ସେମାନେ ପରିବହନ କାମ କରିପାରୁ ନାହାନ୍ତି। ପରିଶେଷରେ ଏହି ଲୋକମାନେ ନା ସ୍ଥାନୀୟ ପ୍ରଶାସନ ସେମାନଙ୍କ କ୍ଷତି ଭରଣା କରିବେ ବୋଲି ସେମାନେ କହୁଛନ୍ତି। ତେଣୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଧୀରେ ଧୀରେ ବ୍ୟାପୁଥିବା ଲକ୍ଷ୍ୟ କରାଯାଉଛି।

ଉଭୟ ପକ୍ଷ ଯଦି ଧାରଣା ସ୍ଥଳରେ ମୁହାଁମୁହିଁ ହୋଇଯିବେ, ତେବେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବାର ସମ୍ଭାବନା ରହିଛି। କମ୍ପାନୀ କର୍ତ୍ତୃପକ୍ଷ ଏ ସଂପର୍କରେ ପ୍ରଶାସନକୁ ଅବଗତ କରାଇଛନ୍ତି। ଏହାବ୍ୟତୀତ ଧାରଣା ଚାଲିଥିବା ସ୍ଥାନଟି ହେଉଛି କମ୍ପାନୀର ଲିଜ୍ ଅଞ୍ଚଳ ମଧ୍ୟରେ। ସେଠାରେ ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କାରଣରୁ କିଛି ଅଘଟଣ ଘଟେ ସେଥିପାଇଁ କମ୍ପାନୀ ଦାୟୀ ରହିବ ନାହିଁ ବୋଲି ପ୍ରଶାସନକୁ ଜଣାଇ ଦିଆଯାଇଛି। ଅନ୍ୟପକ୍ଷରେ ଧାରଣା ଯୋଗୁଁ ତାହାର ପ୍ରଭାବ ରାଜ୍ୟ ରାଜକୋଷ ଉପରେ ପଡ଼ିଛି। ରାଜ୍ୟ ସରକାରଙ୍କର ଦୈନିକ କ୍ଷତି ବଢ଼ି ବଢ଼ି ଚାଲିଥିଲେ ମଧ୍ୟ ପ୍ରଶାସନର ସେଥିପ୍ରତି ଆଦୌ ଧ୍ୟାନ ନାହିଁ। ଏହି ୬ ଦିନ ମଧ୍ୟରେ ରାଜ୍ୟ ସରକାର ୧୧୨ କୋଟି ୫୦ ଲକ୍ଷ ଟଙ୍କା ଖଣି ରାଜସ୍ୱ ବାବଦରେ ହରାଇ ସାରିଲେଣି। ତଥାପି ପୁଲିସ ଏ ଯାଏଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହିଁ।