ପରୀ ପାଇଁ ବିଜେପି ପଦଯାତ୍ରା: ଆଜି ଦ୍ୱିତୀୟ ଦିନ

ନୟାଗଡ଼,ଏନ୍ଏନ୍ଏସ୍: ନୟାଗଡ଼ ନାବାଳିକା ପରୀକୁ ନ୍ୟାୟ ଦେବାକୁ ବିଜେପି ଆରମ୍ଭ କରିଥିବା ପଦଯାତ୍ରାର ଆଜି ଦ୍ୱିତୀୟ ଦିନ। ଆଜି ଯାଆଁଳାରୁ ପଦଯାତ୍ରା ନୟାଗଡ଼ ଯଦୁପୁର ଅଭିମୁଖେ ବାହାରିବ। ଗତକାଲି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ଏହି ପଦଯାତ୍ରା ବାହାରି ଯାଆଁଳା ଯାଏ ଯାଇଥିଲା। ପାଞ୍ଚ ଦିନରେ ବିଜେପି ନେତା ଓ କର୍ମୀ ଚାଲିବେ ଶହେ କିଲୋମିଟର। ଆସନ୍ତା ୨୪ ତାରିଖରେ ପରୀର ଗାଁ ଯଦୁପୁରରେ ବିଜେପି ପଦଯାତ୍ରା ପହଞ୍ଚିବ। ୨୪ ତାରିଖରେ ଯଦୁପୁର ଗାଁରେ ବିଜେପି ବିଶାଳ ସମାବେଶ ଆୟୋଜନ କରିବ। ପରୀ ହତ୍ୟାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଜେପି ୧୪୭ ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା କରିଥିଲା। ଏବେ ଦଳ ଯଦୁପୁର ଅଭିମୁଖେ ବାହାରିଛି।

୫ ଦିନ ଧରି ହେବାକୁ ଥିବା ଏହି ପଦଯାତ୍ରାରେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବନତି ଶ୍ରୀନିବାସନ୍, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟର ବହୁ ବଡ଼ ବଡ଼ ନେତା ଓ ଶହ ଶହ କର୍ମୀ ସାମିଲ ହୋଇଛନ୍ତି।