ସନ୍ଦେହଜନକ ମୃତ୍ୟୁକୁ ନେଇ ସଙ୍ଗରୋଧ କେନ୍ଦ୍ରରେ ଉତ୍ତେଜନା

ବାଲେଶ୍ୱର, ଏନ୍ଏନ୍ଏସ୍:  ଭୋଗରାଇସ୍ଥିତ ଏକ ସଙ୍ଗରୋଧ କେନ୍ଦ୍ରରେ ବୁଧବାର ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ କୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ଗ୍ରାମବାସୀ  ସଙ୍ଗରୋଧକେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଛନ୍ତି। ଏପରିକି ଉକ୍ତ ସଙ୍ଗରୋଧ କେନ୍ଦ୍ରରୁ ପ୍ରାଚୀର ଡେଇଁ ଖସି ପଳାଇବାକୁ ଚେଷ୍ଟା କରୁଥିବା ଏଏନ୍ଏମ୍ ଓ ଆଶାକର୍ମୀଙ୍କ ସହ ଗ୍ରାମବାସୀଙ୍କର ଧସ୍ତାଧସ୍ତି ହୋଇଥିଲା।
ଅଭିଯୋଗ ଅନୁସାରେ,  ବାରବାଟିଆ ପଞ୍ଚାୟତ ଅଧୀନ କଣ୍ଟାବଣିଆ ଗାଁର ବୃନ୍ଦାବନ ଦାସଙ୍କ ପୁଅ ରମାକାନ୍ତ(୪୫)ଦକ୍ଷିଣ ଆଫ୍ରିକାରୁ ଗତ୨୦ତାରିଖରୁ ଫେରି ପଞ୍ଚାୟତ ଅଧୀନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିଲେ। ଗତ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ପତ୍ନୀ ସାବିତ୍ରୀ ତାଙ୍କସହ କଥା ହୋଇ ଘରକୁ ଫେରିଥିଲେ। ଏପରିକି ତାଙ୍କ ଦେହ ଭଲ ଓ ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ମଧ୍ୟ ନଥିଲା। ମାତ୍ର ବୁଧବାର ସକାଳେ ସଙ୍ଗରୋଧ କେନ୍ଦ୍ରରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ପ୍ରଚାର ହେବାପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଭୋଗରାଇ ବିଡିଓ ସତ୍ୟଜିତ ରାଉତ, ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡା କମଳାକାନ୍ତ ଜେନା, ପଞ୍ଚାୟତର ଆଶା ଏବଂ ଏଏନ୍ଏମ କେନ୍ଦ୍ର ମଧ୍ୟକୁ ଯାଇ ଘଟଣାର ତଦନ୍ତ କରୁଥିବା ବେଳେ ଗାଁ ଲୋକେ ଫାଟକରେ ତାଲା ପକାଇ ସେମାନଙ୍କୁ ଅଟକ ରଖିଛନ୍ତି। ଭୋଗରାଇ ତହସିଲଦାର ରାଖାଲ ଚନ୍ଦ୍ର ପରିଡ଼ା, ଭୋଗରାଇ ଥାନା ଅଧିକାରୀ ନରେନ୍ଦ୍ର ଦାସ, ତାଳସାରୀ ସାମୁଦ୍ରିକ ଥାନାର ଭାରପ୍ରାପ୍ତ ଅଧିକାରୀ ହେମନ୍ତ କୁମାର ମାଝୀ, ଚନ୍ଦନେଶ୍ୱର ଫାଣ୍ଡି ଅଧିକାରୀ ବିଶ୍ୱନାଥ କର ସଦଳବଳ ପହଞ୍ଚି ଲୋକଙ୍କୁ ବୁଝାସୁଝା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ସମ୍ଭବ ହୋଇପାରି ନଥିଲା। ଖାଲି ସେତିକି ନୁହେଁ ବାହାରେ ଉତ୍ତେଜନା ଲାଗି ରହିଥିବା ବେଳେ ଜଣେ ଏଏନଏମ ଏବଂ ଦୁଇଜଣ ଆଶାକର୍ମୀ ବିଦ୍ୟାଳୟ ପଛପଟେ ପାଚେରି ଡେଇଁ ପଳାଇ ଯାଉଥିବା ବେଳେ ଗାଁ ଲୋକେ ସେମାନଙ୍କୁ ମଧ୍ୟ ଧରି ଅଟକ ରଖିଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ବାହାରକୁ ଛାଡ଼ି ନଦେବାକୁ ଅଡ଼ି ବସିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ କୌଣସି ସମାଧାନର ସୂତ୍ର ବାହାରିପାରି ନଥିଲା।