ପ୍ରଦର୍ଶନୀ ପଡ଼ିଆରେ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଚଳିତବର୍ଷ ଭୁବନେଶ୍ୱର ୩ ନମ୍ବର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ। କରୋନା କଟକଣା ଦୃଷ୍ଟିରୁ ପୂର୍ବବର୍ଷମାନଙ୍କ ପରି ପରେଡ୍ ପ୍ରଦର୍ଶନୀ ଅନୁଷ୍ଠିତ ହେବନାହିଁ। ପୁଲିସ ବ୍ୟାଣ୍ଡ ପାର୍ଟି ଜାତୀୟ ସଂଗୀତ ପରିବେଷଣ କରିବେ। ବ୍ୟାଣ୍ଡ ପାର୍ଟି ସହ ୩ଟି ପୁଲିସ ବାହିନୀର ଟ୍ରୁପମାନେ ଜାତୀୟ ପତାକା ଏବଂ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ। କୋଭିଡ ଯୋଦ୍ଧାମାନଙ୍କ ସହ ସୀମିତ ସଂଖ୍ୟକ ଲୋକଙ୍କୁ ସାମିଲ କରି ଏହି ଦିବସ ପାଳନ କରାଯିବ। ଦିବସ ପାଳନର ଲାଇଭ ଚିତ୍ର କମନଫିଡ ମାଧ୍ୟମରେ ସମସ୍ତ ଗଣମାଧ୍ୟମଙ୍କୁ ସଂଯୋଜିତ କରାଯିବ। ଯେପରିକି ଜନସାଧାରଣ ନିଜ ନିଜ ଘରେ ଟିଭି ମାଧ୍ୟମରେ ସମସ୍ତ କାର୍ଯ୍ୟକ୍ରମ ଦେଖି ପାରିବେ। ଲୋକସେବା ଭବନରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ଦିବସ ପାଳନ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଏହି ବୈଠକରେ ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରା ଏବଂ ସୂଚନା ଲୋକ ସମ୍ପର୍କ ବିଭାଗ ଶାସନ ସଚିବ ସଞ୍ଜୟ କୁମାର ସିଂ ସ୍ୱାଧୀନତା ଦିବସ ପାଳନର ବିଭିନ୍ନ ଦିଗ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ପ୍ରସ୍ତୁତି ଓ ପାଳନ ସମୟରେ ଯଥା ସମ୍ଭବ ସାମାଜିକ ଦୂରତା ଓ ସ୍ୱଚ୍ଛତାର ନିୟମ ଅନୁପାଳନ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।  ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜିବ ଚୋପ୍ରା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସଞ୍ଜୟ କୁମାର ସିଂ, ପୂର୍ତ୍ତ ସଚିବ କ୍ରିଷନ କୁମାର, ପୁଲିସ କମିଶନର ସୁଧାଂଶୁ ଷଡ଼଼ଙ୍ଗୀ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲାଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।