ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସହରର ଜଣେ ଯୁବକ ବର୍ତ୍ତମାନ ବଲିଉଡରେ କାୟା ବିସ୍ତାର କରିବାରେ ଲାଗିଛନ୍ତି। ତାଙ୍କ ଦ୍ୱାରା ନିର୍ମିତ ହୋଇଥିବା ୭ଟି କ୍ଷୁଦ୍ର ଚଳଚ୍ଚିିତ୍ର ଜାତୀୟ ତଥା ଆନ୍ତର୍ଜାତୀୟସ୍ତରରେ ପ୍ରଦର୍ଶିତ ହୋଇ ପ୍ରଶଂସିତ ହେବା ସଙ୍ଗେ ପୁରସ୍କୃତ ହୋଇଛି। ଆଗାମୀ ଦିନରେ ସେ ଏହି ଅଞ୍ଚଳରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହି ଉଦୀୟମାନ ଯୁବକ ହେଉଛନ୍ତି ସହରର କନ୍ଦପାଲି ପଡ଼ାର ଜ୍ୟୋତି ପ୍ରକାଶ। ଜ୍ୟୋତି ପ୍ରକାଶ ବାୟୁସେନାରୁ ଅବସର ନେଇ ୨୦୧୭ ମସିହାରେ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ମୁନ ଲାଇଟ ଥିଏଟର ଓ ଷ୍ଟୁଡିଓରୁ ନିର୍ଦ୍ଦେଶନା ପାଠ ପଢ଼ିଥିଲେ। ଜ୍ୟୋତି ପ୍ରଥମେ ହିନ୍ଦୀ ଭାଷାରେ ‘ରିଗ୍ରେଟ’ ନାମକ ଏକ କ୍ଷୁଦ୍ର ଚଳଚ୍ଚିିତ୍ର ନିର୍ମାଣ କରିଥିଲେ ଯାହାକି ବିଭିନ୍ନସ୍ତରରେ ପ୍ରଦର୍ଶିତ ହୋଇ ପୁରସ୍କୃତ ହୋଇଥିଲା। ପରେ ସେ ଆହୁରି ୬ଟି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ।
ଜ୍ୟୋତି ପ୍ରକାଶ ଏବେ ଗ୍ରାମାଞ୍ଚଳରେ ଲୋକଙ୍କୁ ଠକୁଥିବା ନକଲୀ ଡାକ୍ତରଙ୍କ କାହାଣୀକୁ ନେଇ ‘ଝୋଲା ଛାପ’ ନାମକ ଏକ ୱେବ ସିରିଜ ନିର୍ମାଣ କରୁଛନ୍ତି। ଆଉ ଏହାର ୭୫ ପ୍ରତିଶତ ସୁଟିଂ ସରିଯାଇଛି । ଏହି ୱେବ ସିରିଜରେ ଓଡ଼ିଶାର ଚିତ୍ତରଞ୍ଜନ ତ୍ରିପାଠୀ, ବଲିଉଡର ମୁସ୍ତାକ ଖାନ୍ ଓ ମେହେକ ମନୱାନୀ ପ୍ରମୁଖ ଅଭିନୟ କରୁଛନ୍ତି। ଆଗାମୀ ଦିନରେ ସେ ବଲାଙ୍ଗିର ଓ କନ୍ଧମାଳରେ ଏକ ବଲିଉଡ ଚଳଚ୍ଚିତ୍ରର ସୁଟିଂ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ‘ଝୋଲା ଛାପ’ର କାହାଣୀ ଡା.ଶେଖର ଲାଲ ଲେଖିଛନ୍ତି। କାହାଣୀଟି ଜଣେ ପୁଲିସ କନେଷ୍ଟବଳ ଓ ନକ୍ସଲଙ୍କ ଉପରେ ରହିଛି ବୋଲି ଜ୍ୟୋତି କହିଛନ୍ତି। ଏହି ଚଳଚ୍ଚିତ୍ରରେ ସ୍ଥାନୀୟ କଳାକାରମାନେ ସୁଯୋଗ ପାଇପାରିବେ ବୋଲି ସେ କହିଛନ୍ତି।