ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ରେ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ଦାବି ନେଇ କୋସଲ ସେନା ତରଫରୁ ଚାଲିଥିବା ଆମରଣ ଅନଶନ ଆଜି ତୃତୀୟ ଦିନରେ ପହଞ୍ଚିଛି। ଆମରଣ ଅନଶନରେ ସଭାପତି ସୁଶାନ୍ତ ମିଶ୍ର ଏବଂ ଶୋଭନ କୁମାର କର୍ଣ୍ଣ ବସିଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଛି ।
ଅପରପକ୍ଷେ ତିନି ଦିନ ହେବ ଆମରଣ ଅନଶନରେ ବସିଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ ଅନଶନକାରୀଙ୍କ ସହ ଆଲୋଚନା କରି ନ ଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅପରାହ୍ନ ୪ ଟାରୁ କୋସଲ ସେନା ତରଫରୁ ସ୍ଥାନୀୟ ଗାନ୍ଧୀ ଛକରେ ରାସ୍ତାରୋକ କରାଯାଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ଚାଲିଥିବା ବେଳେ ଏଥିରେ ଅର୍ପଣ ନାୟକ , ବିରବଲ ବାଦୀ , ଅଜିତ ପତିଙ୍କ ସମେତ କୋସଲ ସେନାର ବହୁ ସଦସ୍ୟ ସାମିଲ ହୋଇଥିଲେ। ଅପରପକ୍ଷେ କଂଗ୍ରେସ ଜିଲ୍ଲା ସଭାପତି ନିହାର ରଞ୍ଜନ ମହାନନ୍ଦ, ନିପନ ଦାଶ ସମେତ ବହୁ କର୍ମକର୍ତ୍ତା ଆନ୍ଦୋଳନରେ ସାମିଲ ହୋଇଛନ୍ତି ।