୩ଶହ ବର୍ଷର ପରମ୍ପରା ଭାଙ୍ଗି ବିଧି ରକ୍ଷାପୂର୍ବକ ବାହୁଡ଼ା ଯାତ୍ରା ସମ୍ପନ୍ନ

ଦେବଗଡ଼,ଏନ୍ଏନ୍ଏସ୍: ସୁପ୍ରିମକୋର୍ଟ ରଥଯାତ୍ରା ଉପରେ ରୋକ ଲଗାଇବା ପରେ ଦେବଗଡ଼ରେ ବିଧି ରକ୍ଷାପୂର୍ବକ ଚଳିତ ବର୍ଷ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସମ୍ପନ୍ନ କରାଯାଇଥିଲା। ୩ଶହ ବର୍ଷର ପରମ୍ପରା ଭାଙ୍ଗି ଚଳିତ ବର୍ଷ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ରଥଯାତ୍ରା ଦିନ ମନ୍ଦିର ମଧ୍ୟରେ ପହଣ୍ଡି କରି ଝୁଲଣ ମଣ୍ଡପରେ ସ୍ଥାପନ କରାଯାଇଥିଲା। ସେହିପରି ପରଦିନ ଘୋଡାଗାଡ଼ିରେ ତିନି ଠାକୁରଙ୍କୁ ରଥାରୂଢ଼ କରି ମାଉସୀ ମାଁଙ୍କ ମନ୍ଦିରକୁ ବିଜେ କରାଯାଇଥିଲା। କରୋନା କଟକଣା ଯୋଗୁ ଚଳିତ ବର୍ଷ ଭକ୍ତ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବା ବେଳେ ବଡ଼ଦାଣ୍ଡ ଜନଶୂନ୍ୟ ରହିଥିଲା। ଆଉ ଆଜି ତିନି ଠାକୁରଙ୍କୁ ଘୋଡ଼ାଗାଡ଼ିରେ ରଥାରୂଢ଼ କରି ଶ୍ରୀ ମନ୍ଦିରକୁ ଅଣାଯାଇଥିଲା।

ସୂଚନାଯୋଗ୍ୟ, ୧୭୦୦ ମସିହାରେ ବାମଣ୍ଡା ରାଜ୍ୟର ତତ୍କାଳୀନ ରାଜା ପ୍ରତାପ ରୁଦ୍ର ଦେବଙ୍କ ସମୟରେ ପୁରୀ ଜଗନ୍ନାଥ ମନ୍ଦିର ଢାଞ୍ଚାରେ ନିର୍ମୀତ ୩ଶହ ବର୍ଷ ତଳର ମନ୍ଦିର ଆଜି ମଧ୍ୟ ଚଳଚଞ୍ଚଳ ରହିଛି। ୮୦ କୋଷ ବାମଣ୍ଡା ରାଜ୍ୟର ପ୍ରଜାଙ୍କୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଏଠାରେ ୩ଦିନ ଧରି ମହାପ୍ରଭୁ ରଥାରୂଢ଼ ହୋଇ ରଥଯାତ୍ରାରେ ବାହାରିବା ଏବଂ ବାହୁଡା ସମୟରେ ମଧ୍ୟ ୩ଦିନ ରଥାରୂଢ଼ ରହି ଯାତ୍ରା କରିବାର ପରମ୍ପରା ରହିଥିଲା। ତେବେ ସୁପ୍ରିମକୋର୍ଟଙ୍କ ରାୟ ପରେ ଚଳିତ ବର୍ଷ ଦେବଗଡ଼ ଜିଲ୍ଲା (ବାମଣ୍ଡାରାଜ୍ୟ)ର ରଥଯାତ୍ରା ପାଳନର ୩ଶହ ବର୍ଷ ତଳର ପରମ୍ପରା ଭାଙ୍ଗିବାକୁ ପଡ଼ିଛି।