ଲକ୍ଷାଧିକ ଟଙ୍କାର ଗୁଟଖା ଓ ତମାଖୁ ଜବତ: ୩ ଗିରଫ

ମୁନିଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକସ୍ଥିତ ମେଡିକାଲ ଛକ ନିକଟରୁ ପୁଲିସ ଏକ ମ୍ୟାକ୍ସ ପିକଅପ୍ ଭ୍ୟାନରୁ ବିପୁଳ ପରିମାଣରେ ବେଆଇନ ଗୁଟଖା ଓ ତମାଖୁ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି। ଏହି ୩ଜଣ ହେଲେ ଆମ୍ବଦଳା ଥାନା ଅମ୍ଳାଭଟ୍ଟା ଗାଁର ପ୍ରସନ୍ନ ବିଶ୍ୱରାୟ, ମୋହନଲାଲ ଚନ୍ଦ୍ରକାର, କେ.ସନ୍ତୋଷ କୁମାର। ମିଳିଥିବା ରିପୋର୍ଟ ମୁତାବକ, ଆଜି ସକାଳ ୫ଟାରେ ବିଷମକଟକ ପୁଲିସ ମେଡିକାଲ ଛକ ନିକଟରେ ଯାଞ୍ଚ କରୁଥିବା ସମୟରେ ଏକ ପିକଅପ ଭ୍ୟାନ ଆମ୍ବଦଳା ପଟୁ ଚୋରା ମାଲ ନେଇ ଗୁଣପୁର ଅଭିମୁଖେ ଯାଉଥିଲା। ପୂର୍ବରୁ କୌଣସି ସୂତ୍ରରୁ ଖବର ପାଇ ବିଷମକଟକ ଥାନାଧିକାରୀ ଯଶୋବନ୍ତ ହିଆଲ ଓ ଟିମ୍ ସତର୍କ ରହିଥିଲେ। ଫଳରେ ଘଟଣାସ୍ଥଳରୁ ଗାଡ଼ି ସହ ୩ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ। ଜବତ ମାଲ ମଧ୍ୟରେ ୪ କ୍ୱିଣ୍ଟାଲ ୫୨ କେଜି ରାଜା ଛାପ ତମାଖୁ, ୪୪ କେଜି ମାରୁତି ଛାପ ଖଇନି, ୭ କେଜି ବିମଲ ପାନ ମସାଲା ରହିଛି। ଏସବୁର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହେବ।