ବାହରିନ୍ ପାରା ବ୍ୟାଡ୍‌ମିଣ୍ଟନ୍ ଇଣ୍ଟରନ୍ୟାସନାଲ୍‌: ଫାଇନାଲ୍‌ରେ ପ୍ରମୋଦ, ସେମିରେ ଦୀପ୍‌

ଭୁବନେଶ୍ୱର,ଏଜେନ୍ସି: ଚଳିତ ବାହରିନ୍ ପାରା ବ୍ୟାଡ୍‌ମିଣ୍ଟନ୍ ଇଣ୍ଟରନ୍ୟାସନାଲ୍‌ରେ ଓଡ଼ିଆ ଖେଳାଳି ପ୍ରମୋଦ ଭଗତ ଦୁଇଟି ବର୍ଗର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ସେ ସିଙ୍ଗଲ୍ସ ଓ ମିକ୍ସଡ ଡବଲ୍ସ ଇଭେଣ୍ଟ୍ ସେମିଫାଇନାଲ୍‌ରେ ବିଜୟୀ ହୋଇ ଡବଲ୍ ସ୍ୱର୍ଣ୍ଣପଦକ ଜିତିବାର ସମ୍ଭାବନା ସୃଷ୍ଟି କରିଛନ୍ତି । ସିଙ୍ଗଲ୍ସରେ ସେ ଏସ୍‌ଏଲ୍‌-୩ ବର୍ଗରେ ନିଜ ଦେଶର ମନୋଜ ସରକାରଙ୍କୁ ୨୧-୧୬, ୨୧-୧୪ରେ ପରାସ୍ତ କରିଛନ୍ତି ।

ସେହିପରି ମିକ୍ସଡ ଡବଲ୍ସରେ ଯୋଡ଼ିଦାର ମନୀଷା ରାମଦାସଙ୍କ ସହ ମିଶି ଟୋକିଓ ପାରାଲିମ୍ପିକ୍ ଚାମ୍ପିଅନ୍ ଜାପାନୀ ଯୋଡ଼ି ଦାଇସୁକ୍ ଫୁଜିହାରା-ଆକିକୋ ସୁଗିନାଙ୍କୁ ୨୧-୧୩, ୨୧-୧୫ରେ ପରାସ୍ତ କରିଛନ୍ତି । ଅନ୍ୟପକ୍ଷରେ ପୁରୁଷ ଡବଲ୍ସରେ ଦୀପ୍ ରଞ୍ଜନ ବିଶୋଇ ତାଙ୍କ ଯୋଡ଼ିଦାର ମହମ୍ମଦ ଅରବାଜ ଅନ୍‌ସାରୀଙ୍କ ସହ ମିଶି ତୁର୍କୀର ମୁସ୍ତାଫା ତୁଗ୍ରା ନୂର୍‌-ସେଦତ୍ ତୁମ୍‌କାୟା ଯୋଡ଼ିକୁ ୨୧-୬, ୨୧-୧୫ରେ ହରାଇ ସେମିକୁ ଉନ୍ନୀତ ହୋଇଛନ୍ତି । କିନ୍ତୁ ସେ ସିଙ୍ଗଲ୍ସ କ୍ୱାର୍ଟର୍ ଫାଇନାଲ୍‌ରେ ଏସ୍‌ଏଲ୍‌-୪ ବର୍ଗରେ ନିଜ ଦେଶର ତରୁନ୍‌ଙ୍କଠାରୁ ୫-୨୧, ୧୩-୨୧ରେ ପରାସ୍ତ ହୋଇଛନ୍ତି ।