ବଡ଼ ଦିନରେ ଜିଲ୍ଲାରେ ଖୋଲିଲା ମାତ୍ର ଗୋଟିଏ ଚର୍ଚ୍ଚ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଖ୍ରୀଷ୍ଟଧର୍ମାବଳମ୍ବୀ ଲୋକଙ୍କ ପାଇଁ ସବୁଠାରୁ ବଡ଼ ପର୍ବ ହେଉଛି ବଡ଼ଦିନ। ଏହିଦିନ ସମସ୍ତ ଖ୍ରୀଷ୍ଟଧର୍ମୀ ଲୋକେ ଚର୍ଚ୍ଚକୁ ଯାଇ ପୂଜାଚର୍ଚ୍ଚନା କରିନ୍ତି। ଏହାସହ ଭୋଜିଭାତ ଓ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥାଏ। ଏଥିପାଇଁ ପ୍ରତିବର୍ଷ ଡିସେମ୍ବର ୨୫ ଦିନ ଖ୍ରୀଷ୍ଟଧର୍ମାବଳମ୍ବୀ ଲୋକଙ୍କ ସମାଗମରେ ଉଛୁଲି ପଡୁଥାଏ ଝାରସୁଗୁଡା ଜିଲ୍ଲାର ସମସ୍ତ ଚର୍ଚ୍ଚ। ହେଲେ କରୋନା କଟକଣା ଚଳିତବର୍ଷ ବଡଦିନ ପାଳନକୁ ଫିକା ପକାଇ ଦେଇଛି। ଚର୍ଚ୍ଚରେ ଲୋକଙ୍କ ସମାଗମ ସହ ପୂଜାର୍ଚ୍ଚାନାକୁ ପ୍ରଶାସନ ପକ୍ଷରୁ ବାରଣ କରାଯିବା ପରେ ଝାରସୁଗୁଡା ସମସ୍ତ ଚର୍ଚ୍ଚ ପରିସର ଜନଶୂନ୍ୟ ରହିଛି। ଖୀଷ୍ଟିୟାନ ସମ୍ପ୍ରଦାୟ ପକ୍ଷରୁ ପ୍ରଶାସନ ନିକଟରେ ଚର୍ଚ୍ଚରେ ପୂଜାଚର୍ଚ୍ଚନା ପାଇଁ ଅନୁମତି ଦାବିପରେ ଜିଲ୍ଲାରେ କେବଳ ଗୋଟିଏ ଚର୍ଚ୍ଚରେ ସାମାଜିକ ଦୂରତା ରକ୍ଷା କରିବାସହ, ମାସ୍କ ପରିଧାନ କରି ପୂଜାର୍ଚ୍ଚନା କରିବା ପାଇଁ ଅନୁମତି ଦିଆଯାଇଥିଲା। ଫଳରେ ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିତରେ ଆଜି ଝାରସୁଗୁଡାର କକ୍ସ କଲୋନୀସ୍ଥିତ ସେଂଟ ଡେଭିଡ ସିଏନଆଇ ଚର୍ଚ୍ଚରେ ବଡଦିନ ପର୍ବ ପାଳିତ ହୋଇଛି।