ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ଔଷଧୀୟ ଉଦ୍ଭିଦ ପରିଷଦ ପକ୍ଷରୁ ସ୍ଥାପନା ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ ଔଷଧୀୟ ଉଦ୍ଭିଦର ଚାଷ ଓ ଚାହିଦା ସମ୍ପର୍କିତ ଦିନିକିଆ ପ୍ରଶିକ୍ଷଣ କର୍ମଶାଳା ରୁମକୁଝୁମା ସାଂସ୍କୃତିକ ଅନୁଷ୍ଠାନ କାର୍ଯ୍ୟାଳୟରେ ଉଦଘାଟିତ ହୋଇଯାଇଛି । ପୂର୍ବାହ୍ନରେ ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ସୁଦିପ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ବିଏସକେୱାୟର ରାଜ୍ୟ ଉପଦେଷ୍ଟା ନିବେଦିତା ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାଧନା ଦାଶ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡା. ସୁଜିତ କୁମାର ନାଥ ଓ ଷ୍ଟେଟ ମେଡିସିନଲ ବୋର୍ଡର ଡିସିଏଫ ଅନୁସୟା ଷଡ଼ଙ୍ଗୀ ପ୍ରମୁଖ ମଞ୍ଚାସିନ ଥିଲେ । ଔଷଧୀୟ ବୃକ୍ଷର ଚାହିଦାକୁ ଦୃଷ୍ଟିରେ ରଖି ଔଷଧୀୟ ବୃକ୍ଷ ଚାଷର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଅତିଥିବୃନ୍ଦ ଗୁରୁତ୍ୱାରୋପ କରିଥିଲେ । ପ୍ରାକୃତିକ ପରିବେଶରେ ପରିପୂର୍ଣ ଦେବଗଡ଼ ଜିଲ୍ଲାରେ ଅତୀତରେ ଔଷଧୀୟ ବୃକ୍ଷର ଭଣ୍ଡାର ଥିବାବେଳେ ଧୀରେ ଧୀରେ ଏହା ନଷ୍ଟ ହେବାକୁ ବସିଛି । ସେହିପରି ଆୟୁର୍ବେଦ ଚିକିତ୍ସା ଉପରେ ନିର୍ଭର କରୁଥିବା ଜନସାଧାରଣ ପାଶ୍ଚାତ୍ୟ ଚିକିତ୍ସାକୁ ଗ୍ରହଣ କରିଥିବାବେଳେ ଆୟୁର୍ବେଦ ଚିକିତ୍ସା ଅବହେଳିତ ହୋଇପଡ଼ିଥିବାରୁ କର୍ମଶାଳାରେ ଉଦବେଗ ପ୍ରକାଶ ପାଇଥିଲା । ସେହିପରି ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ପକ୍ଷରୁ ଚାଷୀଙ୍କୁ ଔଷଧୀୟ ବୃକ୍ଷ ଚାଷ ପାଇଁ ଉତ୍ପାଦନଠାରୁ ବିକ୍ରି ପର୍ଯ୍ୟନ୍ତ ଔଷଧୀୟ ଉଦ୍ଭିଦ ପରିଷଦ ପକ୍ଷରୁ ଆର୍ôଥକ ସହଯୋଗ ଓ ସବସିଡି ସମ୍ପର୍କରେ ଉପସ୍ଥିତ ବୈଦ୍ୟଙ୍କୁ ଅବଗତ କରାଯାଇଥିଲା । ଏହି କର୍ମଶାଳାକୁ ବାମଣ୍ଡା ବନୌଷଧି ଓ ବୈଦ୍ୟ ବିକାଶ ସଂଘ ସମ୍ପାଦକ ସରୋଜ କୁମାର ଭୂୟାଁ ପରିଚାଳନା କରିଥିବାବେଳେ ଜିଲ୍ଲାର ଶତାଧିକ ବୈଦ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ସଂଯୋଜକ ସଚ୍ଚିକାନ୍ତ ପ୍ରଧାନ ଧନ୍ୟବାଦ ଦେଇଥିଲେ ।