ବଗଲା ଧର୍ମଶାଳା ଜମି ବିକ୍ରି ଘଟଣାରେ ଆଇନ ମନ୍ତ୍ରୀ ସ୍ପଷ୍ଟ ମତ ରଖନ୍ତୁ-ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବଗଲା ଧର୍ମଶାଳା ପକ୍ଷରୁ ଦାନ ସୂତ୍ରରେ ମିଳିଥିବା ଜମିକୁ ପୁରୀ ଜିଲ୍ଲା ପ୍ରଶାସନ ବିକ୍ରି କରିବା ଘଟଣାରେ ପ୍ରବଳ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସରକାରଙ୍କ ତାତ୍ସଲ୍ୟ ଛଳରେ ସେ କହିଛନ୍ତି ଯେ ଅତ୍ୟଧିକ କ୍ଷମତା ଏବଂ ଜନସମର୍ଥନ ସରକାରଙ୍କୁ ଅହଙ୍କାରୀ କରିଦିଏ। ଯାହା ନବୀନ ବାବୁଙ୍କ ସରକାରଙ୍କ କ୍ଷେତ୍ରରେ ଘଟିଛି। ଓଡ଼ିଶାର ଲକ୍ଷ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଏବଂ ବିଭିଧ ଦୁର୍ନୀତିରେ ଲିପ୍ତ ଏ ସରକାର କୋଟି କୋଟି ହୃଦୟର ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ମଧ୍ୟ ଛାଡ଼ିଲେ ନାହିଁ। ତୁରନ୍ତ ଏହି ପ୍ରସଙ୍ଗରେ ଆଇନ୍ ମନ୍ତ୍ରୀ ତାଙ୍କର ମତ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।
ନବକଳେବର ସମୟର ଅନିୟମିତତା ହେଉ ବା ବେଦାନ୍ତକୁ ବିଶ୍ୱବିଦ୍ୟାଳୟ କରିବା ପାଇଁ ଅମୃତମଣୋହି ଜମି ଦେବା ପ୍ରସଙ୍ଗହେଉ ସବୁଠାରେ ସରକାରଙ୍କର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ଉଠିଛି। ମହାପ୍ରଭୁଙ୍କର ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗରେ କେବଳ କମିଶନ ନିଯୁକ୍ତିରେ ସରକାର ତାଙ୍କର ଦାୟିତ୍ୱ ସାରିଦେଲା ଭଳି ମନେ ହେଉଛି। ବର୍ତ୍ତମାନ ୧୯୦୫ ମସିହାରୁ ଗରିବ ଭକ୍ତମାନଙ୍କର ପୁରୀରେ ରହଣି ପାଇଁ ଦାନ ସୂତ୍ରରେ ମିଳିଥିବା କୋଟି କୋଟି ଟଙ୍କାର ବଗଲା ଧର୍ମଶାଳା ସମ୍ପତିକୁ କେତେଜଣ ଲଜ ମାଲିକଙ୍କୁ ବେଆଇନ ଭାବେ ବିକ୍ରି କରିଛନ୍ତି। ଶ୍ରୀମନ୍ଦିର ଚାରିପାଖରେ ୭୫ ମିଟର ଜାଗାକୁ ଖାଲି କରିବା ପାଇଁ ସରକାର ଅନେକ ବ୍ୟକ୍ତିଗତ ଜମିକୁ ଅଧିଗ୍ରହଣ କରିଛନ୍ତି ଓ ସେମାନଙ୍କୁ ମଧ୍ୟ ସରକାରୀ ତହବିଲ୍ରୁ ବଜାର ମୁତାବକ ଅର୍ଥ ପ୍ରଦାନ କରାଯାଇଛି। କିନ୍ତୁ ଏବେ କେତେଜଣ ମୃଷ୍ଟିମେୟ ସରକାରୀ ଅଧିକାରୀ ଏହାକୁ କିଛି ବ୍ୟବସାୟୀଙ୍କ ହାତରେ ଟେକିଦେବା ନେଇ ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କର ନିଜ ନିର୍ବାଚନ ମଣ୍ଡଳୀ ଗଞ୍ଜାମର ହିଞ୍ଜିଳିକାଟୁ ଅଞ୍ଚଳରୁ ହଜାର ହଜାର ଟ୍ରକ ବାଲି ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବାର ବିରୋଧ କରି ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିଥିବା ଗ୍ରାମବାସୀଙ୍କ ଉପରେ ପୁଲିସର ଲାଠି ଚାଳନା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଉକ୍ତ ଦୁଇଟି ଘଟଣାରେ ଆଇନ ମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ତାଙ୍କର ମତ ସ୍ପଷ୍ଟ କରିବା ପାଇଁ ସେ ଦାବି କରିଛନ୍ତି।