ଆଇସିସି ମହିଳା ଟି-୨୦ ବିଶ୍ବକପ୍‌: ୬ଷ୍ଠ ଥର ଲାଗି ଟାଇଟଲ ହାତେଇଲା ଅଷ୍ଟ୍ରେଲିଆ

କେପଟାଉନ,ଏଜେନ୍ସି: ଆଇସିସି ମହିଳା ଟି-୨୦ ବିଶ୍ବକପ ଫାଇନାଲ ମ୍ୟାଚ । ୬ଷ୍ଠ ଥର ଲାଗି ଟାଇଟଲ ହାତେଇଲା କଙ୍ଗାରୁ ଟିମ । ଦକ୍ଷିଣ ଆଫ୍ରିକାକୁ ୧୯ ରନ୍‌ରେ କଲା ପରାସ୍ତ । ଦକ୍ଷିଣ ଆଫ୍ରିକା ଓପନର ଲୌରାଙ୍କ ୬୧ ରନ ସତ୍ତ୍ବେ ଶେଷରେ ପରାଜୟ ବରଣ କରିଛି ଟିମ । ଅଷ୍ଟ୍ରେଲିଆ ଟିମର ଓପନର ବେଥ ମୁନେଙ୍କ ଧୂଆଁଦାର ଅର୍ଦ୍ଧଶତକ ଆଜି ଦଳ ପାଇଁ ବେଶ ଫାଇଦା ହୋଇଛି । ଦକ୍ଷିଣ ଆଫ୍ରିକା ୨୦ ଓଭର ଖେଳି ୬ ୱିକେଟରେ ୧୩୭ ରନ୍‌ ହାସଲ କରିଛି ।

ଅଷ୍ଟ୍ରେଲିଆ ପୂର୍ବରୁ ୫ଟି ଟାଇଟଲ ହାସଲ କରିସାରିଥିବା ବେଳେ ୨୦୨୩ ବିଶ୍ବକପ ଜିତି ୬ଷ୍ଠ ଟାଇଟଲ ହାସଲ କରିବା ସହ ହୋଇଛି ଚମ୍ପିଆନ ଟିମ । ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ବେଥ ମୁନେ ସର୍ବାଧିକ ୭୪ ରନ ହାସଲ କରିଥିଲେ । ସେ ଗୋଟିଏ ଛକା ସହ ୯ଟି ଚୌକା ମାରିଥିଲେ । ସେହିପରି ଅଶଲେଘ ଗାର୍ଡନର ୨୧ ବଲରେ ୨ଟି ଲେଖାଏଁ ଚୌକା ଛକା ମାରି ୨୯ଟି ରନ ହାସଲ କରିଥିଲେ । ଅଷ୍ଟ୍ରେଲିଆ ମହିଳା ଦଳର ଅଧିନାୟିକା ମେଗ ଲାନିଙ୍ଗ ୧୧ ବଲ୍‌ରେ ୧୦ ରନ କରିଥିଲେ ।

ଦକ୍ଷିଣ ଆଫ୍ରିକା ଟିମ ମଧ୍ୟ କଙ୍ଗାରୁକୁ କଡା ଟକ୍କର ଦେଇଥିଲା । ଓପନର ଲୌରା ୪୮ଟି ବଲ ଖେଳି ୩ଟି ଛକା ଓ ୫ଟି ଚୌକା ସହ ୬୧ ରନ ହାସଲ କରିଥିଲେ । ଛୋଲେ ଟ୍ରାୟନ ୨୩ ବଲରେ ୨୫ ରନ କରିଥିବା ବେଳେ ମାରିଜେନ ଟପ ୧୧ରନ, ତାଜମିନ ବ୍ରିଟ୍ସ ୧୦ ରନ୍‌, କ୍ୟାପଟେନ ସୁନ ଲୁସ୍‌ ୨ ରନ୍‌ କରିଥିଲେ । ଅଷ୍ଟ୍ରେଲିଆ ଟିମର ବୋଲର ମେଗାନ, ଅଶଲେଘ, ଜେସ ଓ ଡର୍ସି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଦକ୍ଷିଣ ଆଫ୍ରିକାର ଶେଷ ୨୦ ଓଭରରେ ମୋଟ ୭ରନ ଆସିଥିଲା ।