ସୁରେଶ ମହାପାତ୍ରଙ୍କ ମିଳିଲା ନୂଆ ଦାୟିତ୍ବ, ଓଇଆର୍‌ସି ଅଧ୍ୟକ୍ଷ ଭାବେ ହେଲେ ନିଯୁକ୍ତ

ଭୁବନେଶ୍ବର,ଏନ୍ଏନ୍ଏସ୍: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ବ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି) ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ସୁରେଶ ମହାପାତ୍ର । ମୁଖ୍ୟ ଶାସନ ସଚିବ ପଦରୁ ଅବସର ପରେ ସୁରେଶଙ୍କୁ ଓଇଆର୍‌ସି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକଞ୍ଜୁ ବିହାରୀ ଧଳଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

୨୦୨୨ ଜାନୁଆରୀ ୧୬ରୁ ଖାଲି ପଡିଥିଲା ଓଇଆର୍‌ସି ଅଧ୍ୟକ୍ଷ ପଦ । ୟୁଏନ ବେହେରା ଯିବା ପରେ ଏହି ପଦ ଖାଲି ପଡିଥିଲା । ତେଣୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଅଧ୍ୟକ୍ଷ ଭାବେ ସୁରେଶ ଥଇଥାନ ହୋଇଛନ୍ତି । ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଫେବୃୟାରୀ ୨୮ ତାରିଖରେ ସମାପ୍ତ ହେବ । ମୁଖ୍ୟ ଶାସନ ସଚିବ ପଦରୁ ଅବସର ଗ୍ରହଣ କରିବା ପରେ ରାଜ୍ୟ ସରକାର ତାଙ୍କୁ ଦୁଇ ଥର ମୁଖ୍ୟ ସଚିବ ପଦବୀରେ ନିଯୁକ୍ତି କରିଥିଲେ ।