ଏଟିଏମ୍ ଲୁଟେରା ଗିରଫ, ୧୬ ହଜାର ଜବତ

ଫୁଲବାଣୀ,ଖଜୁରିପଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଅଞ୍ଚଳରୁ ଆଜି ଜଣେ ଏଟିଏମ୍‌ ଲୁଟେରାକୁ କନ୍ଧମାଳ ପୁଲିସର ସାଇବର ଟିମ୍ ଗିରଫ କରିବା ସହ ତା’ନିକଟରୁ ୧୬ ହଜାର ଟଙ୍କା ଜବତ କରିଛି। ଗିରଫ ଯୁବକ ଜଣଙ୍କ ଖଜୁରିପଡ଼ା ଥାନା ଅନ୍ତର୍ଗତ ଝାଗଡ଼ପଟା ଗ୍ରାମର ରଞ୍ଜନ କୁମାର ବେହେରା ବୋଲି ସାଇବର ଇନ୍ସପେକ୍ଟର ସୌମ୍ୟ ପଣ୍ଡା ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଗତ ୨୩ ତାରିଖ ଦିନ ଖଜୁରିପଡ଼ା ଥାନା ଅନ୍ତର୍ଗତ ନାଗଲେଜୁ ଗ୍ରାମର ରୂପବତୀ ବେହେରା ନାମକ ଜଣେ ମହିଳା ଖଜୁରିପଡ଼ା ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମରୁ ଟଙ୍କା ଉଠାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସେ ନୂତନ ଭାବେ ଏଟିଏମ୍ ବ୍ୟବହାର କରୁଥିରୁ ସେ ଟଙ୍କା ଉଠାଇ ନପାରି କେବଳ ବ୍ୟାଙ୍କ ଖାତା ବ୍ୟାଙ୍କରେ ଅପଡେଟ୍ କରି ଫେରିଥିଲେ। ତେବେ ମହିଳା ଜଣଙ୍କ ଅଜାଣତରେ ଏଟିଏମ କାର୍ଡଟି ସେଠାରେ ପକାଇ ପଳାଇ ଆସିଥିଲେ। ସେହି ନିକଟରେ ଥିବା ରଞ୍ଜନ ବେହେରା ଉକ୍ତ ଏଟିଏମକୁ ନେଇ ଗୋଟାଇଥିଲା। ସେହିପରି କାର୍ଡ ଖୋଳ ଭିତରେ ପିନ୍ ନମ୍ବର ଥିଲା। ପରେ ଚତୁରତାର ସହ ସେ ଚକାପାଦ ବ୍ଲକ୍ ଅନ୍ତର୍ଗତ ଲାଇନପଡ଼ା ସ୍ଥିତ ଏକ ଏଟିଏମରୁ ନିଜେ ଟଙ୍କା ନ ଉଠାଇ ଏକ ନାବାଳକ ସହାୟତାରେ ୨୦ ହଜାର ଟଙ୍କା ଉଠାଇଥିଲେ।

ନାବାଳକ ଜଣଙ୍କ ଟଙ୍କା କାଢ଼ିବା ପାଇଁ ରାଜି ହୋଇନଥିଲେ ମଧ୍ୟ ସେ କିଛି ମିଥ୍ୟା କହି ତାହା ଦ୍ୱାରା ଟଙ୍କା ଉଠାଇଥିବା ପୁଲିସ ତଦନ୍ତ ବେଳେ ଜାଣିପାରିଛି। ଆକାଉଣ୍ଟରୁ ଟଙ୍କା ଉଠିଥିବା ମହିଳା ଜଣଙ୍କ ଜାଣିବା ପରେ ଏନେଇ ସେ ଖଜୁରିପଡ଼ା ଥାନାରେ ଗତ ୨୪ ତାରିଖରେ ଏତଲା ଦେଇଥିଲେ। ପରେ ପୁଲିସ କେସ୍ ନଂ-୫୮ା୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଭାର ପୁଲିସ ବିଭାଗର ସାଇବର ଟିମକୁ ପଠାଇଥିଲା।