୩ ରେଳ ପ୍ରକଳ୍ପର ସମୀକ୍ଷା କଲେ ଅଶ୍ୱିନୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୪ ଦିନିଆ ଓଡ଼ିଶା ଗସ୍ତରେ ଆସି ବର୍ତ୍ତମାନ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଗସ୍ତରେ ଅଛନ୍ତି। ବିଜେପି ପକ୍ଷରୁ ଜନ ଆଶୀର୍ବାଦ ଯାତ୍ରାରେ ଅଂଶଗ୍ରହଣ କରି ଶନିବାର ସେ କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରିଛନ୍ତି। ଏହି ଅବସରରେ ରେଳମନ୍ତ୍ରୀ ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର ଏବଂ ଥେରୁବାଲି-ଗୁଣପୁର ଏହି ୩ ପ୍ରମୁଖ ରେଳପଥର କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି।

ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ରେଳପଥର ବିକାଶ କରିବାକୁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ। ରାଜ୍ୟ ସରକାର ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ କଲେ ପ୍ରକଳ୍ପ କାମ ଶୀଘ୍ର ସରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ଗସ୍ତ କରି ଜୟପୁର ମୁଖ୍ୟ ଡାକଘରକୁ ଅଚାନକ ପରିଦର୍ଶନ କରିଥିଲେ। ଲୋକଙ୍କୁ କିପରି ସେବା ଯୋଗାଯାଉଛି ଓ କିପରି କାମ ହେଉଛି ପଚାରି ବୁଝିଥିଲେ। ଏଥିସହ ମାଲକାନଗିରିରେ ଥିବା ବିଭିନ୍ନ ପୋଷ୍ଟ ଅଫିସ୍ ଦୁର୍ନୀତି ମାମଲାରେ ବରିଷ୍ଠ ଅଧିକାରୀଙ୍କୁ ତାଗିଦ୍ କରିଥିଲେ। ବିଶେଷ କରି ଲଚିକେରା ପୋଷ୍ଟ୍ ଅଫିସରେ ହୋଇଥିବା ଅର୍ଥ ହଡ଼ପ ମାମଲାର ୩୦ ଦିନ ଭିତରେ ତଦନ୍ତ ସାରି ରିପୋର୍ଟ ଦେବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି କେରାପୁଟ ସ୍ଥିତ ଶାବର ଶ୍ରୀକ୍ଷେତ୍ର ମନ୍ଦିରକୁ ଯାଇ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ନବରଙ୍ଗପୁର ଯିବା ବାଟରେ କେନ୍ଦ୍ରମନ୍ତ୍ରୀଙ୍କୁ ଆମ୍ବାଗୁଡ଼ା, ବୋରିଗୁମ୍ମା, ଆଉଳି ସମେତ ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ସ୍ୱାଗତ ଜଣାଇଥିଲେ। ନବରଙ୍ଗପୁର ପାପଡ଼ାହାଣ୍ଡି ଠାରେ ସହିଦ ସ୍ମୃତିସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଦେବା ସହ ମହିମା ଧର୍ମାବଲମ୍ବୀ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ସହ ମିଶିଥିଲେ କେନ୍ଦ୍ରମନ୍ତ୍ରୀ। ଏହି ଯାତ୍ରା ଅବସରରେ ସେ ଲୋକଙ୍କର ହୃଦୟ ଜିଣିବାକୁ ଭରପୂର ଉଦ୍ୟମ ଜାରି ରଖିଛନ୍ତି। ନବରଙ୍ଗପୁର ଗସ୍ତ ଅବସରରେ ସେ ଏକ ଦୋକାନରୁ ପୋଡ଼ା ମକା ଖାଇବା ଏବଂ ଚାଷ ଜମିରେ ଆଦିବାସୀଙ୍କ ସହ ମିଶି ଧାନ ତଳି ରୋଇବାର ମଧ୍ୟ ନଜର ଆସିଛନ୍ତି। ତାଙ୍କର ଏହି ସାଧାରଣ ପରିପାଟୀକୁ ଲୋକେ ବେଶ୍ ପସନ୍ଦ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟକ୍ରମ ସାରି କେନ୍ଦ୍ରମନ୍ତ୍ରୀ ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲାରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ରବିବାର ସେ କଳାହାଣ୍ଡି ଜିଲ୍ଲାରେ ରେଳ ପ୍ରକଳ୍ପ ସମେତ ଅନ୍ୟାନ୍ୟ କାର୍ଯ୍ୟର ସମୀକ୍ଷା କରିବେ ଏବଂ ବଲାଙ୍ଗିର ଗସ୍ତ କରିବା ନେଇ ସ୍ଥିର ହୋଇଛି।