ନବୀନଙ୍କୁ ଭେଟିଲେ ମିତ୍ତଲ, କେନ୍ଦ୍ରାପଡ଼ାରେ ଇସ୍ପାତ ଶିଳ୍ପ ଖୁବଶୀଘ୍ର!

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶିଷ୍ଟ ଶିଳ୍ପପତିି ଲକ୍ଷ୍ମୀ ମିତ୍ତଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶନିବାର ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାର ସୌଜନ୍ୟମୂଳକ ଥିଲେ ହେଁ କେନ୍ଦ୍ରାପଡ଼ା ଇସ୍ପାତ ଶିଳ୍ପ ପ୍ରତିଷ୍ଠା ଉପରେ ଆଲୋଚନା ହୋଇଥିବା କୁହାଯାଉଛି। ତେଣୁ ଧାର୍ଯ୍ୟ ସମୟରେ ଶିଳ୍ପ ବିହୀନ ଜିଲ୍ଲା ଭାବେ ପରିଚିତ କେନ୍ଦ୍ରାପଡ଼ାରେ ଇସ୍ପାତ ଶିଳ୍ପ ହେବ ବୋଲି ଚର୍ଚ୍ଚା ଜୋର ଧରିଛି।

ଶିଳ୍ପପତିି ମିତ୍ତଲ ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ଆଲୋଚନାର ବିଷୟବସ୍ତୁ ବିଷୟରେ ସରକାରୀ ଭାବେ କିଛି ସ୍ପଷ୍ଟ ହୋଇ ନଥିଲାବେଳେ କେନ୍ଦ୍ରାପଡ଼ାର ପ୍ରସ୍ତାବିତ ଇସ୍ପାତ ଶିଳ୍ପ ଏବଂ ପାରାଦ୍ୱୀପରେ ଆର୍ସେଲର-ନିପ୍ପନ ଷ୍ଟିଲ୍ ଇଣ୍ଡିଆ କମ୍ପାନୀ ବିଷୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ପରେ ଶିଳ୍ପପତିି ମିତ୍ତଲ ନବୀନ ନିବାସରୁ ସିଧାସଳଖ କେନ୍ଦ୍ରାପଡ଼ା ଯାଇଥିଲେ। ସେଠାରେ ସେ ଆର୍ସେଲର-ନିପ୍ପନ ଷ୍ଟିଲ୍ ଇଣ୍ଡିଆ କମ୍ପାନୀର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ଲାଣ୍ଟ ଅଗ୍ରଗତି ଉପରେ ବି ସମୀକ୍ଷା କରିଥିଲେ। ଏହା ପରେ ଶ୍ରୀ ମିତ୍ତଲ ପାରାଦୀପ ଯାଇ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ବନ୍ଦର ପ୍ରଶାସନିକ ଭବନରେ ହୋଇଥିବା ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାର ଅଧିକାରୀଙ୍କ ବ୍ୟତୀତ କମ୍ପାନୀର ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।

ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ମାର୍ଚ୍ଚ ମାସରେ ରାଜ୍ୟ ସରକାରଙ୍କ ସହ ଆର୍ସେଲର-ନିପ୍ପନ ଷ୍ଟିଲ୍ ଇଣ୍ଡିଆ କମ୍ପାନୀର ବୁଝାମଣା ପତ୍ର ବା ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିଲା। ଏମ୍ଓୟୁ ଅନୁସାରେ କେନ୍ଦ୍ରାପଡ଼ାରେ କମ୍ପାନୀ ୫୦ ହଜାର କୋଟି ଟଙ୍କା ବ୍ୟୟରେ ପ୍ରଥମେ ବାର୍ଷିକ ୬ ନିୟୁତ ଟନ ଇସ୍ପାତ ଉତ୍ପାଦନ କ୍ଷମତା ବିଶିଷ୍ଟ ପ୍ରକଳ୍ପ କରିବ। ପରେ ତାହା ପ୍ଲାଣ୍ଟର କ୍ଷମତାକୁ ୧୨ ନିୟୁତ ଟନକୁ ବୃଦ୍ଧି କରାଯିବ ବୋଲି କୁହାଯାଇଥିଲା।