ମାନବିକତା ଦେଖାଇଲେ ଯୁବ ଫାଣ୍ଡି ଅଧିକାରୀ: ପ୍ରସବ ବେଦନା ଭୋଗୁ ଥିବା ମହିଳାଙ୍କୁ ଫାଣ୍ଡି ଗାଡ଼ିରେ ପଠାଇଲେ ଡାକ୍ତରଖାନା

ଦେବଗଡ଼,ଏନ୍ଏନ୍ଏସ୍: ବେଆଇନ ମଦ କାରବାର ସନ୍ଧାନରେ ଯାଇଥିବା ଜଣେ ଯୁବ ଏଏସଆଇ ମାନବିକତା ଦେଖାଇ ରାସ୍ତା ନଥିବା ଗାଁ’ରୁ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ଉଦ୍ଧାର କରି ଫାଣ୍ଡି ଗାଡ଼ିରେ ବୋହି ଆଣି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ କୁଣ୍ଢେଈଗୋଳ ଥାନା ଖଇରପାଲି ଫାଣ୍ଡି ଦାୟିତ୍ୱରେ ଥିବା ଯୁବ ଏସଆଇ ବିଜୟ କୁମାର ଦେହୁରୀ କୌଣସି ଏକ ମାମଲାର ତଦନ୍ତ ପାଇଁ ଆଜି ସକାଳୁ ଖଣ୍ଡାଧୂଆଁ ରାସ୍ତାଦେଇ ହରିହରପୁର ଗ୍ରାମକୁ ଯାଇଥିଲେ। ସେଠାରୁ କାମ ସାରି ନିକଟସ୍ଥ ବରଖୋଲ ଗ୍ରାମକୁ ବେଆଇନ ରନ୍ଧା ମଦ କାରବାର ସନ୍ଧାନରେ ବାହାରିଥିଲେ।

ପ୍ରାୟ ୧୦ଟି ଆଦିବାସୀ ପରିବାର ବିଶିଷ୍ଟ ଉକ୍ତ ଗ୍ରାମକୁ ଯିବା ପାଇଁ ପାଦ ଚଲା ରାସ୍ତା ବ୍ୟତୀତ କୌଣସି ଅନ୍ୟ ରାସ୍ତା ନଥିବାରୁ ଫାଣ୍ଡି ଗାଡ଼ିରେ ଧୀରେଧୀରେ ଆଗକୁ ବଢିଥିଲେ। ଉକ୍ତ ଗ୍ରାମରେ ପହଞ୍ଚିବା ପରେ ସେଠାରେ ପୂର୍ଣ୍ଣ ଚନ୍ଦ୍ର ଭଦ୍ରାଙ୍କ ସ୍ତ୍ରୀ ସୁଶୀଳା ଭଦ୍ରା(୨୨) ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ଉକ୍ତ ଗ୍ରାମରେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିବା ଅସମ୍ଭବ ଥିଲା। ଏହା ଦେଖି ଶ୍ରୀ ଦେହୁରୀ ତୁରନ୍ତ ଫାଣ୍ଡି ଗାଡ଼ିରେ ପ୍ରସୂତି ମହିଳାଙ୍କୁ ବସାଇ ୪ କିମି ପାହାଡିଆ ଓ ହିଙ୍ଗୁଳା ନାଳ ଅତିକ୍ରମ କରାଇବା ସହ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ।

ସୂଚନା ପାଇ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆମ୍ବୁଲାନ୍ସ ଗ୍ରାମର ମୁଖ୍ୟ ରାସ୍ତା ନିକଟକୁ ପହଞ୍ଚିବା ପୂର୍ବରୁ ଫାଣ୍ଡି ଗାଡି ସୁଶୀଳାଙ୍କୁ ସେଠାକୁ ନେଇ ପହଞ୍ଚାଇଥିଲେ। ଆମ୍ବୁଲାନ୍ସ ପହଞ୍ଚିବା ପରେ ଫାଣ୍ଡି ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହାୟତାରେ ପ୍ରସବବେଦନାରେ ଥିବା ସୁଶୀଳାଙ୍କୁ ଆମ୍ବୁଲାନ୍ସରେ ବସାଇ ଛତାବର ଡାକ୍ତରଖାନାକୁ ପହଞ୍ଚାଇଥିଲେ। ଏହି ଘଟଣା ଜଣାପଡିବା ପରେ ଯୁବ ଏଏସଆଇ ଶ୍ରୀ ଦେହୁରୀଙ୍କ ଏଭଳି ମାନବିକତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏସପି ରାଜକିଶୋର ପାଇକରାୟ ଶ୍ରୀ ଦେହୁରୀଙ୍କୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ଏସପି ଶ୍ରୀ ପାଇକରାୟ ଜିଲ୍ଲା ପୁଲିସ ଜନସାଧାରଣଙ୍କ ସୁଖଦୁଃଖର ସାଥୀ ବୋଲି ଅବିହିତ କରିବା ସହ ପୁଲିସକୁ ଅନ୍ୟ ଦୃଷ୍ଟିଭଙ୍ଗୀରେ ନଦେଖି ପୁଲିସ ଓ ଜନସାଧାରଣ ବନ୍ଧୁତ୍ୱ ଭାବ ରଖି ଜିଲ୍ଲାକୁ ଏକ ଅପରାଧ ମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।