ହଷ୍ଟେଲରେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ନିର୍ଯାତନା ମାମଲା, ୩ ଜଣିଆ ଟିମ୍‌ର ତନାଘନା

ଦେଓଗାଁ,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ତୁଷୁରା ସ୍ଥିତ ରୟାଲ ଇଣ୍ଟରନ୍ୟାସନାଲ ଇଂଲିଶ ମିଡିୟମ ସ୍କୁଲ ହଷ୍ଟେଲରେ ଛାତ୍ରଙ୍କୁ ନିର୍ଯାତନା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଗୁଡ଼ଭେଳା ବ୍ଲକ ବିଇଓ ନେପାଳ ଚନ୍ଦ୍ର ବାଗଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ସ୍କୁଲକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ସ୍କୁଲର ବିଭିନ୍ନ ଅଧିକାରୀଙ୍କ ଓ ଶିକ୍ଷକଙ୍କୁ ପଚରାଉଚୁରା କରି ଅନୁଧ୍ୟାନ କରୁଛି ଛତଦନ୍ତକାରୀ ଦଳ।

ସୂଚନା ଅନୁସାରେ ଗତ ଶୁକ୍ରବାର ଏନେଇ ଡିସିପିୟୁ ପକ୍ଷରୁ ତତ୍ପରତା ଦେଖାଇବା ସହ ଉଭୟ ପୀଡିତ ଛାତ୍ର ଓ ଅଭିଯୋଗକାରିଣୀ ମାଆଙ୍କୁ ବଲାଙ୍ଗିରର ପୋକ୍ସୋ କୋର୍ଟରେ ହାଜର କରାଇଥିଲେ। କୋର୍ଟରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ୧୬୪ ଧାରାରେ ପୀଡିତ ଓ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଶନିବାର ଦିନ ସ୍କୁଲକୁ ୩ ଜଣିଆ ଟିମ୍ ଯାଇ ଅଧିକ ତଦନ୍ତ ଜାରି ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ଘଟଣାଟି ବଲାଙ୍ଗିର ଜିଲ୍ଲାରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି।

ଶିକ୍ଷାଦାନ ନାରେ ତୁଷୁରା ଓ ଦେଓଗାଁ ଅଞ୍ଚଳରେ କିଛି ସରକାରୀ ଶିକ୍ଷକ ଅଞ୍ଚଳରେ ଶିକ୍ଷା ବ୍ୟବସାୟ ଚଳାଇଛନ୍ତି। ସେମାନେ ନିଯୁକ୍ତି ହୋଇଥିବା ସ୍କୁଲରେ ଅଳ୍ପ ସମୟ ରହି ବେସରକାରୀ ସଂସ୍ଥାରେ ଜଡ଼ିତ ଅଛନ୍ତି। ପୀଡିତ ଛାତ୍ରଙ୍କୁ ନ୍ୟାୟ ଦେବା ସହ ଏପରି କାର୍ଯ୍ୟ କରାଉଥିବା ବ୍ୟକ୍ତିଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।