ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ସମ୍ମୁଖରେ ଶଗଡ଼ଘାଟ ପଞ୍ଚାୟତ ସିକେର ଗ୍ରାମରେ ଏକ ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସିକେର ଗ୍ରାମର ଅଜିତ ନାଗ ନାମକ ଏକ ଯୁବକ କାଠ ବୋଝେଇ ଅଟୋ ଗାଡ଼ିରେ ଆସୁଥିବା ସମୟରେ ଲୁହ ଛଡ ବୋଝେଇ ଏକ ଟ୍ରାକ୍ଟର ସହ ଦୁର୍ଘଟଣା ହୋଇଥିଲା। ଫଳରେ ଟ୍ରାକ୍ଟରରେ ବୋଝେଇ ଥିବା ଲୁହ ଛଡ଼ା ଯୁବକର ପେଟରେ ପଶିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଅଜିତର ମୃତ୍ୟୁ ହୋଇଥିଲା। ପରେ ଟିଟିଲାଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଟ୍ରାକ୍ଟରକୁ ଜବତ କରିଥିଲା। ଏଥିସହ ପୁଲିସ ମୃତ ଦେହକୁ ଜବତ କରି ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ। ଟ୍ରାକ୍ଟରଟି ଟିଟିଲାଗଡ ନିକଟସ୍ଥ ଅଞ୍ଚଳରେ କାମ କରୁଥିବା ଏ.ଆର୍.ଏସ.ଏସ.ର ବୋଲି ଜଣାପଡିଛି। ତେଣୁ ଗ୍ରାମବାସୀ ମୃତ ଦେହକୁ ସିକେର ଗ୍ରାମରେ ରାସ୍ତା ମଝିରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ମୃତ ବ୍ୟକ୍ତି ଅଜିତ ନାଗଙ୍କ ପରିବାର ବର୍ଗ ତାଙ୍କ ଉପରେ ହିଁ ନିର୍ଭର ଥିଲେ। ତାଙ୍କର ଦୁଇଟି ଛୋଟ ଛୋଟ ଝିଅ ମଧ୍ୟ ଅଛନ୍ତି। ତେଣୁ ତାଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଟିଟିଲାଗଡ ପୁଲିସ ଷ୍ଟେସନ ଏସଆଇ ମନୋଜ ମୁଣ୍ଡା ବିକ୍ଷୋଭ ସ୍ଥାନକୁ ଯାଇ ଘଟଣାକୁ ଆୟତ୍ତ କରି ଲୋକଙ୍କୁ ବୁଝାଇଥିଲେ। ପରେ ଟିଟିଲାଗଡ ଡିଏସପି ସୁରେନ୍ଦ୍ର ନାଥ ଶତପଥୀ ଓ ଏ.ଆର୍.ଏସ.ଏସ.ର ସ୍ଥାନୀୟ ମ୍ୟାନେଜର ପହଞ୍ଚିଥିଲେ। ମ୍ୟାନେଜର ପରିବାର ବର୍ଗଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। କିଛି ସମୟ ପରେ ଟିଟିଲାଗଡ଼ ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକ ଓ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ସତପଥୀ ପହଞ୍ଚି ରେଡ଼କ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା, ଏନଏଫବିଏସ ଯୋଜନାରୁ ୨୦ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।