ଏସିଆ କପ୍‌ ୨୦୨୨: ଶ୍ରୀଲଙ୍କାଠୁ ହାରି ବିଦାୟ ଦ୍ବାରରେ ଭାରତ

ହାଇଦ୍ରାବାଦ,ଏଜେନ୍ସି: ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଭାରତର ଲଗାତର ଦ୍ବିତୀୟ ପରାଜୟ ହୋଇଛି । ସୁପର ଫୋର ରାଉଣ୍ଡରେ ଶ୍ରୀଲଙ୍କାଠୁ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ୬ ୱିକେଟରେ ସୁପର ଫୋର ମ୍ୟାଚକୁ ଜିତି ନେଇଛି ଶ୍ରୀଲଙ୍କା । ଭାରତର ଏହି ପରାଜୟ ପାଇଁ ଏସିଆ କପ୍ ବିଦାୟ ଦ୍ବାରରେ ପହଞ୍ଚିଛି । ସେପଟେ ଲିଗ ପର୍ଯ୍ୟାୟର ପ୍ରଥମ ମ୍ୟାଚ ହାରିବା ପରେ ଜବରଦସ୍ତ କମବ୍ୟାକ କରିଛି ଶ୍ରୀଲଙ୍କା । ଲଗାତାର ଦ୍ବିତୀୟ ମ୍ୟାଚ ଜିତି ଫାଇନାଲ ନିକଟତର ହୋଇଛି ଦଳ । ଅଲରାଉଣ୍ଡର ପ୍ରଦର୍ଶନ କରି ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିବା ଅଧିନାୟକ ଡାସୁନ ଶଣକା ପ୍ଲେୟାର ଅଫ ଦ ମ୍ୟାଚ ବିବେଚତି ହୋଇଛନ୍ତି ।

ଟସ ଜିତି ଶ୍ରୀଲଙ୍କା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ପାଳି ଆରମ୍ଭ କରିଥିଲା ଟିମ ଇଣ୍ଡିଆ । ମାତ୍ର ୧୩ ରନରେ ୨ଟି ୱିକେଟ ହରାଇଥିଲା ଭାରତ । ଓପନର କେ ଏଲ ରାହୁଲ (୬) ରନ କରି ଆଉଟ ହୋଇଥିଲେ । ବିରାଟ କୋହଲି ଖାତା ଖୋଲି ନପାରି ସଅଳ ପାଭିଲିୟନ ଫେରିଥିଲେ । ଅପରାଜିତ ଓପନର ରୋହିତ ଶର୍ମା ଦୃଢ ବ୍ୟାଟିଂ କରିବା ସହ ସୂର୍ଯ୍ୟକୁମାର ଯାଦବ ତାଙ୍କ ସାଥ ଦେଇଥିଲେ । ଉଭୟ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ୩୨ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ରୋହିତ । ତୃତୀୟ ୱିକେଟରେ ଦଳ ୯୭ ରନ ସଂଗ୍ରହ କରିଥିଲା । ଦଳୀୟ ସ୍କୋର ୧୧୦ରେ ରୋହିତ ୪୧ବଲରୁ ବ୍ୟକ୍ତିଗତ ୭୨ ରନ କରି ଆଉଟ ହୋଇଥିଲେ । ଏହାପରେ ନିୟମିତ ବ୍ୟବଧାନରେ ଭାରତ ୱିକେଟ ହରାଇଥିଲା । ସୂର୍ଯ୍ୟକୁମାର ୩୪, ଋଷବ ପନ୍ତ ୧୭, ଦୀପକ ହୁଡା ୩ ରନ କରି ଆଉଟ ହୋଇଥିଲେ । ରବି ଚନ୍ଦ୍ରନ ଅଶ୍ବିନ ୭ଟି ବଲରୁ ଅପରାଜିତ ୧୫ ରନ କରି ଦଳୀୟ ସ୍କୋରକୁ ୧୭୩ରେ ପହଞ୍ଚାଇଥିଲେ । ଭାରତ ୮ ୱିକେଟ ହରାଇ ୧୭୩ ରନ ସଂଗ୍ରହ କରିଥିଲା ।

୧୭୪ ରନ ବିଜୟ ଲକ୍ଷ୍ୟ ନେଇ ଶ୍ରୀଲଙ୍କାର ଦୁଇ ଓପରନ କୁଶଳ ମେଣ୍ଡିସ ଓ ପଥୁମ ନିଶଙ୍କା ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦଳୀୟ ସ୍କୋର ୯୭ରେ ଦଳର ପ୍ରଥମ ୱିକେଟ ପତନ ହୋଇଥିଲା । ବ୍ୟକ୍ତିଗତ ୫୨ ରନ କରି ନିଶଙ୍କା ଆଉଟ ହୋଇଥିଲେ । ଏହାପରେ କ୍ରିଜକୁ ଆସିଥିବା ଚରିଥ ଆଶଲଙ୍କା ଖାତା ଖୋଲି ପାରି ନଥିଲେ । ପରେ ପରେ ଦନୁଷ୍କା ଗୁଣତିଲକ ୧, ମେଣ୍ଡିସ ଦଳୀୟ ସ୍କୋରକୁ ୧୧୦ରେ ପହଞ୍ଚାଇ ଆଉଟ ହୋଇଥିଲେ। ମେଣ୍ଡିସ ୫୭ ରନ କରିଥିଲେ। ଏହାପରେ ଭାନୁକା ରାଜାପକ୍ସା ଓ ଶଣକା ଲଢୁଆ ବ୍ୟାଟିଂ କରି ବିଜୟ ଆଶା ବଞ୍ଚାଇ ଥିଲେ । ୧୮ ବଲରେ ବିଜୟ ପାଇଁ ୩୩ ରନ ଦରକାର ଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ୧୮ ତମ ଓଭରରେ ୧୨ ରନ ପ୍ରଦାନ କରିଥିଲେ । ଭୁବନେଶ୍ବର ନିରାଶ କରି ୧୯ ତମ ଓଭରରେ ୧୪ ରନ ଦେଇଥିଲେ । ଗୋଟିଏ ବଲ ବାକି ଥାଇ ଆବଶ୍ୟକୀୟ ୭ ରନ ସହଜରେ ଶ୍ରୀଲଙ୍କା ହାସଲ କରି ନେଇଥିଲା ।

ଲଗାତର ଦ୍ବିତୀୟ ପରାଜୟ ସହ ଭାରତ ବିଦାୟ ଦ୍ବାରରେ ପହଞ୍ଚିଛି । ଆଜି (ବୁଧବାର) ପାକିସ୍ତାନ ଓ ଆଫଗାନିସ୍ତାନ ମୁକାବିଲା ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ । ଯଦି ଆଫଗାନିସ୍ତାନ ଜିତେ ତେବେ ଭାରତର ଫାଇନାଲ ଆଶା ଉଜ୍ଜୀବିତ ହେବ । ପାକିସ୍ତାନ ଜିତିଲେ ଭାରତର ଟାଇଟଲ ଆଶା ମଉଳି ଯିବ । ଶେଷ ମ୍ୟାଚରେ ଆଫଗାନିସ୍ତାନଠୁ ଜିତିଲେ ବି ଭାରତ ଫାଇନାଲରେ ପ୍ରବେଶ କରି ପାରିବନାହିଁ ।