ଏସିଆ କପ୍‌: ଆଫଗାନିସ୍ତାନଠୁ ୪ ୱିକେଟରେ ଜିତିଲା ଶ୍ରୀଲଙ୍କା

ଦୁବାଇ,ଏଜେନ୍ସି: ଆଫଗାନିସ୍ତାନ ଗୁରବାଜଙ୍କ ଅର୍ଦ୍ଧଶତକ ବୃଥା ହୋଇଛି । ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଅନୁଷ୍ଠିତ ଏସିଆ କପ୍ ସୁପର-୪ ରାଉଣ୍ଡ ମୁକାବିଲାରେ ରୋମାଞ୍ଚକର ବିଜୟ ହାସଲ କରିଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୬ ୱିକେଟ ହରାଇ ୧୭୫ ରନ କରିଥିଲା । ଜବାବରେ ଶ୍ରୀଲଙ୍କା ୧୯.୧ ଓଭରେର ୬ ୱିକେଟ ହରାଇ ବିଜୟ ହାସଲ କରିଛି । ଏହା ସହ ଲିଗ ପର‌୍ୟ୍ୟାୟର ପ୍ରତିଶୋଧ ନେଇଛି ଦଳ । ସୁପର-୪ ପର୍ଯ୍ୟାୟରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଶ୍ରୀଲଙ୍କା ।

ଟସ ଜିତି ଶ୍ରୀଲଙ୍କା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା ଆଫଗାନିସ୍ତାନ । ରହମନୁଲ୍ଲା ଗୁରୁବାଜ ଓ ହାଜରାତୁଲ୍ଲା ଜାଜାଇ ପାଳି ଆରମ୍ଭ କରିଥିଲେ । ହାଜରାତୁଲ୍ଲା ଜାଜାଇଙ୍କୁ (୧୩) ସଅଳ ଆଉଟ କରିବାରେ ସଫଳ ହୋଇଥିଲେ ଶ୍ରୀଲଙ୍କା ବୋଲର । ଅନ୍ୟ ଓପନର ରହମନୁଲ୍ଲା ଗୁରୁବାଜ ବିସ୍ଫୋରକ ବ୍ୟାଟିଂ କରି ଶ୍ରୀଲଙ୍କା ବୋଲରଙ୍କ ଲୟ ବିଗାଡି ଦେଇଥିଲେ । ପରବର୍ତ୍ତୀ ବ୍ୟାଟର ଇବ୍ରାହିମ ଜାଦ୍ରାନ ତାଙ୍କୁ ଉପଯୁକ୍ତ ସାହାଯ୍ୟ କରିଥିଲେ । ଦଳୀୟ ସ୍କୋର ୧୩୯ ବେଳକୁ ଗୁରବାଜ ବ୍ୟକ୍ତିଗତ ୮୪ ରନ କରି ଆଉଟ ହୋଇଥିଲେ । ଏହାପରେ ମ୍ୟାଚକୁ ଫେରିଥିଲା ଶ୍ରୀଲଙ୍କା । ପରବର୍ତ୍ତୀ ବ୍ୟାଟରମାନେ ଦ୍ରୁତ ରନ ସଂଗ୍ରହ କରିବାରେ ବିଫଳ ହୋଇଥିଲେ । ୬ ୱିକେଟ ହରାଇ ଆଫଗାନିସ୍ତାନର ରନ ଗାଡି ୧୭୫ରେ ଅଟକିଥିଲା । ଅନ୍ୟମାନଙ୍କ ମଧ୍ୟରେ ଇବ୍ରାହିମ ୪୦, ନଜିବୁଲ୍ଲା ୧୭, ମହମ୍ମହ ୧, ରସିଦ ଖାନ ୯ ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲଶାନ

୧୭୬ ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଶ୍ରୀଲଙ୍କା । ଆଫଗାନିସ୍ତାନ ସ୍ପିନ ବାହିନୀ ବିପକ୍ଷରେ ୧୭୬ ରନ ବିଜୟ ଲକ୍ଷ୍ୟ ସହଜ ନଥିଲା । ଶ୍ରୀଲଙ୍କାର ଦୁଇ ଓପନର ପଥୁନ ନିଶଙ୍କା ଓ କୁଶଲ ମେଣ୍ଡିସ ପ୍ରାରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି ୬୨ ରନ ସଂଗ୍ରହ କରିଥିଲେ । ମେଣ୍ଡିସ ବ୍ୟକ୍ତିଗତ ୩୬ ରନ କରି ପ୍ରଥମେ ଆଉଟ ହୋଇଥିଲେ । ପରେ ପରେ ୩୨ ରନ ମଧ୍ୟରେ ଶ୍ରୀଲଙ୍କା ୨ଟି ୱିକେଟ ହରାଇଥିଲା । ନିଶଙ୍କା ୩୫ ରନ ଓ ଚରଥ ଆଶାଲଙ୍କା ୮ ରନ କରି ଆଉଟ ହୋଇଥିଲେ । ଅଧିନାୟକ ଡାସୁନ ଶଣକା (୧୦) ରନ କରି ସଅଳ ପାଭିଲିୟନ ଫେରିଥିଲେ । ହେଲେ ଶ୍ରୀଲଙ୍କା ଲଢେଇ ଜାରି ରଖିଥିଲା । ଦନୁଷ୍କା ଗୁଣତିଲକ ଓ ଭାନୁକା ରାଜାପାକ୍ସା ଦ୍ରୁତ ରନ ସଂଗ୍ରହ କରିବା ଫଳରେ ୫ଟି ବଲ ବାକି ଥାଇ ରୋମାଞ୍ଚକର ବିଜୟ ହାସଲ କରିଥିଲା ଶ୍ରୀଲଙ୍କା । ଗୁଣତିଲକ ୩୨ ଓ ରାଜାପାକ୍ସା ୩୧ ରନ କରିଥିଲେ । ଅନ୍ତିମ ଭାଗରେ ୱାନିଣ୍ଡୁ ହସରଙ୍କା ଅପରାଜିତ ୧୬ ରନ କରି ଦଳକୁ ଜିତାଇଥିଲେ । ସୁପର-୪ ରାଉଣ୍ଡରେ ବିଜୟ ସହ ଲିଗ ପର‌୍ୟ୍ୟାୟରୁ ପ୍ରତିଶୋଧ ନେଇଛି ଶ୍ରୀଲଙ୍କା । ଏସିଆ କପ୍ ପ୍ରଥମ ମ୍ୟାଚ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା । ଶ୍ରୀଲଙ୍କାକୁ ପରାସ୍ତ କରିଥିଲା ଆଫଗାନିସ୍ତାନ।