କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ସୁନାମି ଭଳି ମାଡୁଛି ସଂକ୍ରମଣ। ନେତା, ମନ୍ତ୍ରୀ, ସେଲିବ୍ରେଟି ସମସ୍ତଙ୍କୁ କବଳିତ କରୁଛି ମହାମାରୀ। ଗତ କିଛି ଦିନ ମଧ୍ୟରେ ଦେଶର ବହୁ ବରିଷ୍ଠ ରାଜନେତା ସଂକ୍ରମଣର ଶିକାର ହୋଇଛନ୍ତି। ଏବେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମଧ୍ୟ କୋରୋନା ପଜିଟିଭ ଅଛନ୍ତି। ଉଭୟ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଦ୍ବିତୀୟ ଥର ପାଇଁ ସଂକ୍ରମିତ ହୋଇଛନ୍ତି। ପୂର୍ବରୁ ଦ୍ବିତୀୟ ଲହର ସମୟରେ ଗେହଲଟ୍ କୋରୋନା ଆକ୍ରାନ୍ତ ହୋଇଥିଲେ। ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ଗେହଲଟ୍ କରିଛନ୍ତି, ମୁଁ ଗୁରୁବାର ସନ୍ଧ୍ୟାରେ କୋରୋନା ଟେଷ୍ଟ କରିଥିଲି ଏବଂ ମୋ ରିପୋର୍ଟ ପଜିଟିଭ ଆସିଛି। ମୋ ଠାରେ ସାମାନ୍ୟ ଲକ୍ଷଣ ରହିଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ତୁରନ୍ତ କୋଭିଡ ଟେଷ୍ଟ କରାନ୍ତୁ ଏବଂ ଆଇସୋଲେସନରେ ରୁହନ୍ତୁ ବୋଲି ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗତ ବୁଧବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅ ବୈଭବ ଗେହଲଟ୍ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଥିଲେ।

ସେପଟେ ନିତ୍ୟାନନ୍ଦ ରାୟ ଟ୍ବିଟ୍ କରି କୋରୋନା ପଜିଟିଭ ଥିବା କହିଛନ୍ତି ଏବଂ ସମ୍ପୂର୍ଣ୍ଣ ଆଇସୋଲେସନରେ ରହିଥିବା ଜଣାଇଛନ୍ତି। ଗତ କିଛି ଦିନ ମଧ୍ୟରେ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରିବା ସହ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି। ଗତ ବୁଧବାର କେନ୍ଦ୍ରମନ୍ତ୍ରୀ ସିଏପିଏଫ୍ କର୍ମୀକୁ ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।