ପ୍ରଧାନମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥାର ଉଲ୍ଲଂଘନ ଘଟଣା: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତରେ ସୁରକ୍ଷା ବ୍ୟବସ୍ଥାର ଉଲ୍ଲଂଘନ ଘଟଣାର ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟ ଆକ୍ସନ ମୋଡରେ ଥିବା ଦେଖିବାକୁ ମିଳିଛି। ଗତକାଲି ଘଟଣା ଘଟିବା ପରେ ତୁରନ୍ତ ପଞ୍ଜାବ ସରକାରଙ୍କୁ ରିପୋର୍ଟ ତଲବ କରିଥିବା ଗୃୃହ ମନ୍ତ୍ରଣାଳୟ ଆଜି ନିଜ ଆଡୁ ଏକ ଉଚ୍ଚସ୍ତରୀୟ ୩ଜଣିଆ କମିଟି ଗଠନ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।

ସୁରକ୍ଷା ଏବଂ କ୍ୟାବିନେଟ୍ ସେକ୍ରେଟେରିଏଟର ସଚିବ ସୁଧୀର କୁମାର ସକ୍ସେନା ଏହି ତିନିଜଣିଆ କମିଟିର ନେତୃତ୍ୱ ନେଉଥିବା ବେଳେ ଅନ୍ୟ ଦୁଇ ସଦସ୍ୟ ହେଉଛନ୍ତି, ଇଣ୍ଟେଲିଜେନ୍ସ ବ୍ୟୁରୋର ଯୁଗ୍ମ ନିର୍ଦ୍ଦେଶକ ବଲବୀର ସିଂ ଏବଂ ଏସପିଜି ଆଇଜି ଏସ.ସୁରେଶ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ବିଷୟରେ ଏହି କମିଟି ଅନୁଧ୍ୟାନ କରିବା ସହ ଗୃହ ମନ୍ତ୍ରଣାଳକୁ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଗମ୍ଭୀର ମାମଲାର ଶୁଣାଣି ସୁପ୍ରିମକୋର୍ଟଙ୍କ ହେବାକୁ ଥିବା ବେଳେ ଏହା ପୂର୍ବରୁ ଏହି ନିଷ୍ପତ୍ତି ନେଇଛି ଗୃହ ମନ୍ତ୍ରଣାଳୟ।

ଗତକାଲି ପ୍ରଧାନମନ୍ତ୍ରୀ ପଞ୍ଜାବ ଗସ୍ତରେ ଥିବା ବେଳେ ଖରାପ ପାଗ ଯୋଗୁ ସଭାସ୍ଥଳକୁ ହେଲିକପ୍ଟର ପରିବର୍ତ୍ତେ ସଡକ ପଥରେ ଯିବା ବେଳେ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଥିଲା। ପ୍ରଦର୍ଶନକାରୀଙ୍କ ଯୋଗୁ ଫ୍ଲାଏଓଭରରେ ଫସି ରହିଥିଲା ପ୍ରଧାନମନ୍ତ୍ରୀଙ୍କ କାର୍‌କେଡ। ପରେ କାର୍ଯ୍ୟକ୍ରମ ବାତିଲ କରିବା ସହ ଦିଲ୍ଲୀ ଫେରିଆସିଥିଲେ ପ୍ରଧାନମନ୍ତ୍ରୀ। ଏହି ଘଟଣାରେ ପଞ୍ଜାବ ସରକାରଙ୍କୁ ରିପୋର୍ଟ ମଗାଯାଇଥିବା ବେଳେ ମାମଲା ସୁପ୍ରିମ କୋର୍ଟରେ ମଧ୍ୟ ପହଞ୍ଚିଛି। ସେହିପରି ଆଜି ସଂନ୍ଧ୍ୟାରେ ଉଚ୍ଚସ୍ତରୀୟ କମିଟି ଗଠନ କରି ନିଜ ଆଡୁ ତଦନ୍ତ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରଣାଳୟ।