ହୁ’ର ଚେତାବନୀ: ଓମିକ୍ରନକୁ ହାଲୁକାରେ ନିଅନି

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ବର୍ତ୍ତମାନ ଓମିକ୍ରନ ଆତଙ୍କ ଖେଳାଇଛି। ଏହାକୁ ହାଲୁକା ନେବା ଭାରି ପଡିପାରେ। ଡେଲଟା ଭାରିଏଣ୍ଟଠୁ ଏହା କମ୍ ଘାତକ ହୋଇପାରେ ମାତ୍ର ଏହା ସାମାନ୍ୟ ନୁହେଁ ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଏଡନାମ ଘେବ୍ରେୟସସ।

ସାମ୍ବାଦିକ ସମ୍ମିଳନୀରେ ବିବୃତ୍ତି ରଖି ହୁ ମୁଖ୍ୟ କହିଛନ୍ତି ବର୍ତ୍ତମାନ ୧୦୯ ଦେଶରେ ସମ୍ପୂର୍ଣ୍ଣ ଟୀକାକରଣ ଶେଷ ହୋଇନାହିଁ। ଗତ ସପ୍ତାବ ହେବ କୋରୋନା ମହାମାରୀ ସଂକ୍ରମଣ ବଢିବାରେ ଲାଗିଛି। ବିଶେଷ କରି ଟିକା ନେଇଥିବା ବ୍ୟକ୍ତିଙ୍କ ପକ୍ଷେ ଡେଲଟାଠୁ ଓମିକ୍ରନ କମ ଗୁରୁତର ହୋଇପାରେ ତାର ମାନେ ନୁହେଁ ଯେ ଏହାକୁ ସାମାନ୍ୟରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଚେତାବନୀ ଦେଇଛନ୍ତି ହୁ ମୁଖ୍ୟ।

ସେ ଆହୁରି କହିଛନ୍ତି ଓମିକ୍ରନ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। କିଛି ଆକ୍ରାନ୍ତଙ୍କ ଜୀବନ ମଧ୍ୟ ନେଲାଣି ଏହି ଭାରିଏଣ୍ଟ। ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ମାଡିଲାଣି। ଯାହା ବିଶ୍ବରେ ଆତଙ୍କ ଖେଳାଇଛି। ବିଶ୍ୱକୁ ଥରହର କରିଛି କୋରୋନାର ନୂଆ ମ୍ୟୁଟାଣ୍ଟ ଓମିକ୍ରନ। ଯଦିଓ ମୃତ୍ୟୁ ସଂଖ୍ୟା ଏତେଟା ହୋଇନି ତଥାପି ଓମିକ୍ରନ ପ୍ରଭାବରେ କିଛି ମୃତ୍ୟୁ ହେଉଛି।

ଓମିକ୍ରନ ନଯାଉଣୁ ଆଉ ଏକ ନୂଆ ଭାରିଏଣ୍ଟର ଭୟ ସୃଷ୍ଟି ହୋଇଛି। ଫ୍ରାନ୍ସରୁ ଚିହ୍ନଟ ହୋଇଛି କୋରୋନାର ନୂଆ ମ୍ୟୁଟାଣ୍ଟ ଆଇଏଚୟୁ। ଏହି ଭାରିଏଣ୍ଟ ଖାଲି ଚିହ୍ନଟ ହୋଇନାହିଁ ଏଥିରେ ୧୨ ଜଣ ସଂକ୍ରମିତ ହୋଇଛନ୍ତି। କିଛି ଦିନ ତଳେ ଦେଶବାସୀଙ୍କୁ ଏକ ଆଶ୍ବସ୍ତିକର ଖବର ଦେଇଥିଲେ ହୁ’ ମୁଖ୍ୟ। ୨୦୨୨ରେ ମହାମାରୀ ଅନ୍ତ ଘଟିବା ନେଇ କହିଥିଲେ ହୁ ମୁଖ୍ୟ ଟେଡ୍ରୋସ ଏଡନାମ ଘେବ୍ରେୟସସ। ଦେଶବାସୀଙ୍କ ମିଳିତ କାର୍ଯ୍ୟ ମହାମାରୀର ଅନ୍ତ ଘଟାଇପାରିବେ ବୋଲି ଆଶାବଦୀ ହୋଇଛି ହୁ’।