ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଆଶାକର୍ମୀଙ୍କ ଧାରଣା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି କକ୍ଷ ଭିତରକୁ ଆଶାକର୍ମୀମାନେ ପ୍ରବେଶ କରିବା ସମୟରେ ବାରଣ କରାଯାଉଛି। ଏହାକୁ ବିରୋଧ କରି ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଶା ଦିଦିମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି କହିଛନ୍ତି ଯେ, ଜଣେ ଗର୍ଭବତୀ ମହିଳାଙ୍କୁ ନିଜ ଦାୟିତ୍ୱରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣୁଥିବା ଆଶା ଦିଦିମାନଙ୍କୁ ସିକ୍ୟୁରିଟି ଗାର୍ଡମାନେ ପ୍ରସୂତି କକ୍ଷ ଭିତରକୁ ପ୍ରବେଶ ପାଇଁ ବାରଣ କରୁଛନ୍ତି। ଫଳରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଉକ୍ତ ଆଶା ଦିଦିମାନେ ଜାଣିପାରୁ ନାହାନ୍ତି ଓ ତାଙ୍କ ପରିବାରବର୍ଗଙ୍କୁ ଏନେଇ ଅବଗତ କରାଇ ପାରୁନାହାନ୍ତି।

ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ନର୍ସମାନେ ତାଙ୍କର ଛୁଟି ସମୟ ହେଉ ହେଉ ଅନ୍ୟ ନର୍ସ ଆସି ନଥିଲେ ସୁଦ୍ଧା ପଳାଉଛନ୍ତି। ଫଳରେ ଗର୍ଭବତୀ ମହିଳା ଜଣଙ୍କ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି। ଏହି ସମୟରେ ଆଶା ଦିଦି ଗର୍ଭବତୀଙ୍କ ନିକଟରେ ରହିବା ଅତ୍ୟାନ୍ତ ଆବଶ୍ୟକ। ତେଣୁ ଗର୍ଭବତୀ ମହିଳାଙ୍କ ନିକଟରେ ରହିବା ସହ
ପ୍ରସୂତି କକ୍ଷ ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଉ ବୋଲି ଆଶା ଦିଦିମାନେ ଦାବି କରିଛନ୍ତି।