୩୦୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଗୁଣୁପୁର,ଏନ୍ଏନ୍ଏସ୍: ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଏସଟିଏଫ ଟିମକୁ ଗୁଣୁପୁରରେ ମିଳିଛି ଏକ ବଡ଼ ସଫଳତା। ରାୟଗଡା ଜିଲ୍ଲା ଗୁଣୁପୁର ଓଭର ବ୍ରିଜ ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଗଞ୍ଜେଇ ଚାଲାଣର ଖାନତଲାସ କରିଥିଲା। ଏହି ସମୟରେ ଗୁଣୁପୁର ବ୍ଲକ ସାମ୍ପିନି ଗ୍ରାମର ଆୟୁବ ଶବର ନାମକ ଜଣେ ଯୁବକ ୧୫ଟି ବସ୍ତାରେ ଗଞ୍ଜେଇ ପ୍ୟାକିଂ କରି ଓଭରବ୍ରିଜ ଛକ ନିକଟରେ ବାହାରକୁ ଚାଲାଣ ଉଦ୍ଦେଶ୍ୟରେ ରଖିଥିଲେ।

ଆଗରୁ ଟ୍ରାକିଂ କରୁଥିବା ଏସଟିଏଫ ଟିମ ଉକ୍ତ ଯୁବକକୁ ଯାଞ୍ଚ କରିବା ପରେ ତା ନିକଟରୁ ୩୦୨ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଉକ୍ତ ଯୁବକକୁ ମଧ୍ୟ ପୁଲିସ ଗିରଫ କରିଛି। ଜବତ ଗଞ୍ଜେଇ ପଦ୍ମପୁରର ଦୁର୍ଗମ ଅଞ୍ଚଳରୁ ଆସିଥିବା ପୁଲିସ ସୂଚନା ଦେଇଛି। ଆଜି ଗୁଣୁପୁର ଥାନାରେ ଜବତ ଗଞ୍ଜେଇ ଓ ମୁଦଲାକୁ ଜିମା ଦିଆଯାଇଥିବା ଗୁଣୁପୁର ଥାନା ଆଇଆଇସି ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି।