ଆଜି ଠାରୁ ଚାଲିବନି ୫୦ଟି ଟ୍ରେନ୍‌, ୩ ମାସ ପାଇଁ ବାତିଲ କଲା ରେଳବାଇ

ନୂଆଦିଲ୍ଲୀ,ଏଜେନ୍ସି: ଡିସେମ୍ବର ମାସରେ ଶୀତ ଏବଂ କୁହୁଡି କାରଣରୁ ଦୃଶ୍ୟମାନ କମ ହୋଇଥାଏ। ଏହି କାରଣରୁ ରେଳ ଯାତାୟତ ଉପରେ ପ୍ରଭାବ ପଡ଼ିଥାଏ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପ୍ରତ୍ୟେକ ବର୍ଷ କୁହୁଡି ପାଇଁ ଏକ ନିର୍ଦ୍ଧିଷ୍ଟ ସମୟ ପାଇଁ କିଛି ଟ୍ରେନ୍‌ ସେବାକୁ ବାତିଲ କରିଥାଏ। ପୂର୍ବ-ମଧ୍ୟ ରେଳପଥ ଚଳିତ ବର୍ଷ ଡିସେମ୍ବର ୧ ତାରିଖ ଠାରୁ ହାଜୀପୁର ଜୋନର ବିଭିନ୍ନ ଷ୍ଟେସନରୁ ଯାତ୍ରା ଆରମ୍ଭ କରୁଥିବା ୫୦ଟି ଟ୍ରେନ୍‌ର ସେବାକୁ ବାତିଲ କରିଦେଇଛି। ସେହିପରି କିଛି ଟ୍ରେନ୍‌ର ଯାତ୍ରାକୁ ହ୍ରାସ କରିଦିଆଯାଇଛି।

ପୂର୍ବ-ମଧ୍ୟ ରେଳପଥର ସିପିଆରଓ ରାଜେଶ କୁମାର କହିଛନ୍ତି, କୁହୁଡି ଯୋଗୁଁ ଯାତ୍ରୀଙ୍କ ସୁରକ୍ଷା ଏବଂ ରେଳ ପରିଚାଳନାକୁ ସୁନିଶ୍ଚିତ କରିବା ଲାଗି ୨୦୨୧ ଡିସେମ୍ବର ୧ ତାରିଖ ଠାରୁ ୨୦୨୨ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ କିଛି ଟ୍ରେନ୍‌ର ପରିଚାଳନାକୁ ବାତିଲ କରିଦିଆଯାଇଛି। ମୋଟ ୫୦ଟି ଟ୍ରେନ୍‌ ବାତିଲ ହୋଇଥିବା ବେଳେ ୨ଟି ଟ୍ରେନ୍‌ ଆଂଶିକ ରୂପେ ପରିଚାଳିତ ହେବ ଏବଂ ୨ଟି ଟ୍ରେନ୍‌କୁ ପରିବର୍ତ୍ତିତ ମାର୍ଗରେ ପରିଚାଳନା କରିବାକୁ ପୂର୍ବ-ମଧ୍ୟ ରେଳପଥ ନିଷ୍ପତ୍ତି ନେଇଛି।