ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ ହେବେ

ସମ୍ବଲପୁର,ଏଜେନ୍ସି: ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ ହେବେ। ଜଙ୍ଗଲ ନିଆଁ ରୋକିବାକୁ ସମ୍ବଲପୁର ଡିଏଫଓ ନେଇଛନ୍ତି ଏଭଳି କଡା ପଦକ୍ଷେପ। ଜଙ୍ଗଲରେ ନିଆଁ ଲଗାଇଲେ ତୁରନ୍ତ ଗିରଫ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଡିଏଫଓ।

ନିଆଁ ଲଗାଉଥିବା ଲୋକଙ୍କ ବାବଦରେ ସୂଚନା ଦେଲେ ୫ ହଜାର ଟଙ୍କା ପୁରସ୍କାର ଦିଆଯିବ। ସେପଟେ ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବାକୁ ୭୫ ଜଣ ସ୍ୱତନ୍ତ୍ର ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଲୋକଙ୍କ ମଧ୍ୟରେ ସଚେତନତା ନେଇ ଗାଁ ଗାଁରେ ପ୍ରଚାର ଗାଡ଼ି ମଧ୍ୟ ବୁଲାଯାଉଥିବା ଡିଏଫଓ ସଞ୍ଜୀତ କୁମାର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଶିମିଳିପାଳ ଓ କୁଳଡିହା ସଂରକ୍ଷିତ ଅଭୟାରଣ୍ୟରେ ଲାଗିଥିବା ନିଆଁ ଲିଭିବା ନାଁ ଧରୁନି। ଉତ୍ତର ଶିମିଳିପାଳର ୧୮ଟି ସ୍ଥାନରେ ଲାଗିଛି ନିଆଁ। ଗୋଟିଏ ସ୍ଥାନରେ ନିଆଁ ଲିଭାଇଲା ବେଳକୁ ତାହା ଅନ୍ୟତ୍ର ବ୍ୟାପି ଯାଉଛି। ନିଆଁ ଲିଭାଇବା କାର୍ଯ୍ୟରେ ୬ଟି ଅଗ୍ନିଶମ ବିଭାଗ ନିୟୋଜିତ ଥିବା ବେଳେ ୧୧ ଶହରୁ ଅଧିକ ବନ ସୁରକ୍ଷା କର୍ମୀ ଏବଂ କର୍ମଚାରୀ ନିୟୋଜିତ ଅଛନ୍ତି। ସେହିପରି କୁଳଡିହା ସଂରକ୍ଷିତ ଅଭୟାରଣ୍ୟରେ ଗତକାଲି ବିଳମ୍ବିତ ରାତିରେ ଅଭୟାରଣ୍ୟର ବାଲିଚୁଆ ପଟୁ ପୁଣି ଲାଗିଛି ନିଆଁ। ଜଙ୍ଗଲରେ ନିଆଁ ଲାଗିଥିବାରୁ ଆଖପାଖ ଗାଁ ଲୋକେ ଭୟଭୀତ ଅଛନ୍ତି। ଗାଁକୁ ନିଆଁ ନବ୍ୟାପିବା ପାଇଁ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି।