ସାଙ୍ଗଠୁ ୧୦ ଲକ୍ଷ ଠକି ଯୁବକ ଗିରଫ

  • ଭୁବନେଶ୍ୱର: ସାଙ୍ଗ ଠାରୁ ୧୦ଲକ୍ଷ ଟଙ୍କା ନେଇ ନଫେରାଇବା ସହ ହତ୍ୟା ଧମକ ଦେବା ଅଭିଯୋଗରେ ବଡଗଡ ଥାନା ପୁଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ବଡଗଡ ଥାନା କେନାଲ ରୋଡ୍ରେ ରହୁଥିବା ବିକାଶ କୁମାର ମୁଦୁଲି(୩୨)। ଏନେଇ ପୁଲିସ କେସ୍ ନଂ ୨୩୨/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗୁରୁବାର କୋର୍ଟଚାଲାଣ କରିଛି।
    ସୂଚନା ଅନୁଯାୟୀ, ମଞ୍ଚେଶ୍ୱର ଥାନା ଅଞ୍ଚଳର ସନ୍ତୋଷ କୁମାର ମଲ୍ଲିକ ଓ ଅଭିଯୁକ୍ତ ବିକାଶ ଉଭୟ ବନ୍ଧୁ। ବିକାଶ ବର୍ଷେ ତଳେ ବ୍ୟବସାୟ କରିବା ପାଇଁ ସନ୍ତୋଷଙ୍କଠାରୁ ୧୦ ଲକ୍ଷ ଟଙ୍କା ଉଧାର ନେଇଥିଲା। ପରେ ଟଙ୍କା ମାଗିବାରୁ ବିକାଶ ଭଣ୍ଡାଉଥିଲା। ଏମିତିକି ସେ ସନ୍ତୋଷଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରିଦେବାକୁ ଧମକ ଦେଉଥିଲା। ଏନେଇ ଗତ ବୁଧବାର ସନ୍ତୋଷ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରି ମଞ୍ଚେଶ୍ୱର ଅଞ୍ଚଳରୁ ବିକାଶକୁ ଗିରଫ କରିଛି।