କୁଲଗ୍ରାମ ନିକଟରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର କୁଲଗାମ ନିକଟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଛି। ୨୪ ଘଣ୍ଟା ମଧ୍ୟରେ ୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ କଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି କି, ୨୪ ଘଣ୍ଟା ମଧ୍ୟରେ କଶ୍ମୀର ଅଞ୍ଚଳରେ ପୁଲିସ ଗୁଳିରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ସୂଚନା ମୁତାବକ, ବୁଧବାର ରାତିରୁ ଦକ୍ଷିଣଚ କଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ୨ ଜଣ ଆତଙ୍କବାଦୀ ଲୁଚିଥିବା ଖବରପାଇ ସୁରକ୍ଷାକର୍ମୀ ଓ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଏକ ଘରେ ଲୁଚିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ପ୍ରଥମେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ସୁଯୋଗ ଦିଆଯାଇଥିଲା। ହେଲେ ସେମାନେ ଆତ୍ମସମର୍ପଣ କରିବା ବଦଳରେ ଗୁଳି ଚଳାଇଥିଲେ। ବିଳମ୍ବିତ ରାତି ଯାଏଁ ଉଭୟ ପକ୍ଷରୁ ଗୁଳି ବିନିମୟ ଲାଗି ରହିଥିଲା।