ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅପରାଜିତାଙ୍କ ଚିଠି

ଭୁବନେଶ୍ୱର, ଏନ୍ଏନ୍ଏସ୍: ପୁରୀ ଶ୍ରୀମନ୍ଦିର ଏବଂ ଏକାମ୍ରର ଲିଙ୍ଗରାଜ ମନ୍ଦିର ଚାରିପାଖେ ଉଚ୍ଛେଦ କାମ କରି ସ୍ୱତନ୍ତ୍ର କରିଡର୍ ବିକାଶ ନକ୍ସା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ତେବେ ସୌନ୍ଦର୍ଯ୍ୟକରଣ ଆଳରେ ଐତିହ୍ୟ ସ୍ଥଳୀ ଗୁଡ଼ିକୁ ଭଙ୍ଗା ଯାଉଥିବା ଦର୍ଶାଇ ଏହି ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ୨୮ ପୃଷ୍ଠାର ଚିଠି ଲେଖିଛନ୍ତି। ଐତିହ୍ୟକୁ ଗୋଟେ ପଟେ ଧ୍ୱସଂ କରି ଅନ୍ୟପଟେ କି ବିକାଶ ହେଉଛି ବୋଲି ଏଥିରେ ପ୍ରଶ୍ନ କରିଛନ୍ତି ଅପରାଜିତା।

ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରିବା ସାଙ୍ଗକୁ ସେବାୟତ, ଅଞ୍ଚଳବାସୀ ଏବଂ ବହୁ ଐତିହ୍ୟ ସଂରକ୍ଷକଙ୍କ ସହ ଆଲୋଚନା କରି ଅପରାଜିତା ଏହି ଚିଠି ଲେଖିଥିବା ଜଣାଇଛନ୍ତି। ସେ ଲେଖିଛନ୍ତି, ସୌନ୍ଦର୍ଯ୍ୟକରଣ ନାଁରେ ପୁରୀରେ ଏମାର ମଠ, ମଙ୍ଗୁ ମଠ, ଲଙ୍ଗୁଳୀ ମଠ, ଉତ୍ତର ପାଶ୍ୱର୍ ଏବଂ ଦକ୍ଷିଣ ପାଶ୍ୱର୍ ମଠ ଆଦିକୁ ଭଙ୍ଗାଯାଇଛି। ଯାହାକି ଜଗନ୍ନାଥ ସଂସ୍କୃତି ସହ ଦୀର୍ଘଦିନରୁ ଜଡ଼ିତ ହୋଇରହିଥିଲେ। ଏହି ଅମୁଲ୍ୟ ଐତିହ୍ୟ ସ୍ଥଳୀଗୁଡ଼ିକୁ ଭାଙ୍ଗି ବିକାଶ କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କୁ କେଉଁ ଐତିହ୍ୟ ସଂରକ୍ଷଣକାରୀ ପରାମର୍ଶ ଦେଲେ? ଏହି କାର୍ଯ୍ୟର ପୁରୋଧା କିଏ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା।

ସେହିଭଳି ହିନ୍ଦୁ ଧର୍ମାବଲମ୍ବୀଙ୍କ ଲାଗି ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଅତି ପବିତ୍ର ସ୍ଥଳୀ। ହେଲେ ସରକାର ସେଠାରେ ଜେସିବି, ବୁଲଡୋଜର ଭଳି ଯନ୍ତ୍ରାଂଶ ଲଗାଇ ଭଙ୍ଗାରୁଜା କଲେ ଏବଂ ସବୁକୁ ମାଟିରେ ମିଶାଇ ଦେଲେ ବୋଲି ଅପରାଜିତା ଚିଠିରେ ଲେଖିଛନ୍ତି। ୧୯୫୮ର ଆମସାର୍ ଆକ୍ଟ କାର୍ଯ୍ୟକାରୀ ଥିବାବେଳେ ସରକାର ଏନଏମ୍ଏ କିମ୍ବା ଏଏସ୍ଆଇର ବିନା ଅନୁମତିରେ ବେଆଇନ ଭାବେ ଏସବୁ କରିଥିବା ସେ ଅଭିଯୋଗ କରିଛନ୍ତି। ଓଡ଼ିଶାର ଐତିହ୍ୟ, ସଂସ୍କୃତିର ଏହି ଧ୍ୱସଂଲୀଳା ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ହୋଇଥିଲା ନା ଅଫିସରଙ୍କ ଇଙ୍ଗିତରେ ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ। ଏପରିକି ଉଚ୍ଛେଦର ଶିକାର ହୋଇଥିବା ସ୍ଥାନୀୟ ବାସିନ୍ଦା ଏବଂ ଉଠା ଦୋକାନୀଙ୍କୁ ମଧ୍ୟ କ୍ଷତିପୂରଣ ମିଳିନଥିବାର ସେ ଅଭିଯୋଗ କରିଛନ୍ତି।

ଏକାମ୍ର କ୍ଷେତ୍ରରେ ଥିବା ୧୦ଟି ଐତିହ୍ୟ ପୁଷ୍କରିଣୀ ପରିତକ୍ତ୍ୟ ଅବସ୍ଥାରେ ଥିବା ଅପରାଜିତା ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ ଏସବୁ ପୁଷ୍କରିଣୀ ଚାରିକଡ଼ରେ ବେଆଇନ ନିର୍ମାଣ ହୋଇଛି। ଏଥିଯୋଗିଁ ପୁଷ୍କରିଣୀକୁ ଜଳ ଯିବାଆସିବା ବନ୍ଦ ହୋଇଛି। ବାଇ ଲ’କୁ ନେଇ ଯେଉଁ ହୋହଲ୍ଲା ହେଉଛିି, ତାହା କେବଳ ଐତିହ୍ୟ ସ୍ଥଳୀର ଭଙ୍ଗାରୁଜା ଉପରୁ ନଜର ହଟାଇବାକୁ। ତୁରନ୍ତ ଏଏସଆଇ, ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ, ଐତିହ୍ୟ ସଂରକ୍ଷଣକାରୀ ଏବଂ ଇନଟାକର ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଉ। ବେଆଇନ୍ କାମ ହୋଇଛି ନାଁ ନାହିଁ ତଦନ୍ତ ହେଉ। ତଦନୁସାରେ ଦାୟୀ ବ୍ୟକ୍ତିବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉ ବୋଲି ଚିଠିରେ ଦାବି କରିଛନ୍ତି ଭୁବନେଶ୍ୱର ସାଂସଦ।

ଭଙ୍ଗାଯାଇଥିବା ଐତିହ୍ୟସ୍ଥଳ, ମୁଖ୍ୟ ପୀଠ ସହ ସେମାନଙ୍କ ସଂପର୍କ, ପରିତ୍ୟକ୍ତ ପୁଷ୍ପରିଣୀ ଆଦିର ଫଠୋ ସବୁକୁ ପ୍ରମାଣ ଆଧାରରେ ଏହି ଚିଠି ସହ ଯୋଡ଼ିଛନ୍ତି ଅପରାଜିତା। ଏହାସହ ସେ ୧୫ଟି ପ୍ରସ୍ତାବ ମଧ୍ୟ ରଖିଛନ୍ତି। ସ୍ଥାନୀୟ ଅଞ୍ଚଳରେ ବୈଜ୍ଞାନିକ ପଦ୍ଧତି ଦ୍ୱାରା ସ୍ଥିତି ଯାଞ୍ଚ ଏବଂ ଗ୍ରାଉଣ୍ଡ ପେନିଟ୍ରେସନ୍ ରାଡାର ସର୍ଭେ କରାଯିବା, ସମସ୍ତ ଐତିହ୍ୟ ସମ୍ବଳର ଡକ୍ୟୁମେଣ୍ଟେସନ୍ ଓ ମ୍ୟାପିଂ, ଭବିଷ୍ୟତ ବିକାଶ ଯୋଜନା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ, ଉପଯୁକ୍ତ ଲୋକଙ୍କୁ କମିଟିରେ ସ୍ଥାନଦେବା, କମିଟି ଦ୍ୱାରା ସମୀକ୍ଷା ହେବା ପୂର୍ବରୁ ଭଙ୍ଗାରୁଜା ସ୍ଥଗିତ ରଖାଯିବା, ସେହି ଅଞ୍ଚଳରେ ରାଜନୈତିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇବା ଆଦି ପ୍ରସ୍ତାବ ଦେଇଛନ୍ତି ସାଂସଦ।

ସେପଟେ ଆଜି ଏକାମ୍ର କ୍ଷେତ୍ରକୁ ଯାଇ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ସହ ମନ୍ଦିର ସେବାୟତଙ୍କୁ ଭେଟିଥିଲେ ଅପରାଜିତା। ସେବାୟତଙ୍କ ସହ ଆଲୋଚନା ପରେ ସେ କହିଛନ୍ତି ଯେ ବାଇ-ଲ’ ଏକ ଅପରେସନାଲ୍ ଗାଇଡଲାଇନ୍। ଏହା କୌଣସି ନିୟମ ନୁହେଁ। କିନ୍ତୁ ରାଜ୍ୟବାସୀଙ୍କୁ ସରକାର ଭ୍ରମିତ କରୁଛନ୍ତି। ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ବିକାଶ ହେଉ କିନ୍ତୁ, ଆଇନ ପରିସରରେ। ଏହାସହ ମନ୍ଦିର ଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମ ଓଡ଼ିଆ ସଂସ୍ଥାକୁ ନଦେଇ ନୋଏଡାର ଆର୍କହୋମ୍ ଏବଂ ବାଙ୍ଗାଲୋରର ଭୂମିପୂତ୍ର ସଂସ୍ଥାକୁ କାହିଁକି ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।