ଡିଏନ୍ ହାଇସ୍କୁଲକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ: ମୁଖ୍ୟ ଶାସନ ସଚିବ

କେନ୍ଦୁଝର,ଏନ୍ଏନ୍ଏସ୍: ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟ (ଡିଏନ ହାଇସ୍କୁଲ)କୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ରବିବାର ବିଦ୍ୟାଳୟ ପରିସରରେ ଶିକ୍ଷକ, ପ୍ରାକ୍ତନ ଶିକ୍ଷକ ଏବଂ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ମହାପାତ୍ର ଏହା କହିଛନ୍ତି।

ସୂଚନାଯୋଗ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟର ସଭାଗୃହରେ ଆଲୁମିନୀ ଆସୋସିଏସନ୍ର ସଭାପତି ତଥା ପ୍ରାକ୍ତନ ପ୍ରଧାନଶିକ୍ଷକ ବଳରାମ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଉଦ୍ବୋଧନ ଦେଇ ମୁଖ୍ୟ ଶାସନ ସଚିବ ମୋ ସ୍କୁଲ୍ କାର୍ଯ୍ୟକ୍ରମ ମାଧ୍ୟମରେ କିପରି ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ବିକାଶ କରାଯାଇ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। କେବଳ ଭିତ୍ତିଭୂମି ବିକାଶରେ ଉତ୍କର୍ଷତା ହାସଲ କରିହେବ ନାହିଁ।

ଏଥିପାଇଁ ଉଚ୍ଚ ଗୁଣାତ୍ମକ ମାନର ଶୈକ୍ଷିକ ପରିବେଶ ନିହାତି ଜରୁରୀ ବୋଲି କହିଥିଲେ। ଡିଏନ୍ ହାଇସ୍କୁଲର ଅନେକ ଛାତ୍ର ବିଭିନ୍ନ କ୍ଷେତ୍ରରେ ରାଜ୍ୟ ତଥା ବିଦେଶରେ ସୁନାମ ଅର୍ଜନ କରିଛନ୍ତି। ବିଭିନ୍ନ ବିଷୟରେ ଉତ୍କର୍ଷତା ହାସଲ କରିଥିବା ଛାତ୍ରଛାତ୍ରୀ ମାନେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ଆବଶ୍ୟକୀୟ ଦିଗଦର୍ଶନ ଦେବା ପାଇଁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଥିଲେ। ଏଥିପାଇଁ ଡିଜିଟାଲ୍ ମୋଡରେ ଆଲୋଚନାଚକ୍ର ଆୟୋଜନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଆଲୁମିନୀ ତରଫରୁ ମୁଖ୍ୟ ଶାସନ ସଚିବଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଜିଲ୍ଲାପାଳ ଆଶିଷ ଠାକରେ ଏହି ଆଲୋଚନା ସଭାରେ ଯୋଗଦେଇ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଡିଏମଏଫ୍ ଅନୁଦାନରେ ଛାତ୍ରାବାସ ଓ ଛାତ୍ରୀନିବାସ ନିର୍ମାଣ, ଖେଳ ପଡିଆର ଉନ୍ନତିକରଣ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ବିଦ୍ୟାଳୟରେ ଷ୍ଟାଫ୍ କ୍ୱାଟର୍ସ ନିର୍ମାଣ, ସାଇନସ୍ ପାର୍କ ନିର୍ମାଣ କରାଯିବ ବୋଲି କହିଥିଲେ। ପ୍ରଧାନଶିକ୍ଷକ ସତ୍ୟ ନାରାୟଣ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବିଦ୍ୟାଳୟ ପରିଦର୍ଶନ ଅବସରରେ ନୀତି ଆୟୋଗ ଅନୁଦାନରେ ଅଟଳ ଇନୋଭେସନ୍ ମିଶନ ଅର୍ନ୍ତଗତ “ଅଟଳ ଟିଙ୍କରିଂ ଲ୍ୟାବ୍” ଉଦ୍ଘାଟନ କରିଥିଲେ।