ବର୍ଷାଙ୍କ ଉଦ୍ଦେଶ୍ୟରେ ଅନୁଭବଙ୍କ ଟ୍ବିଟ୍, ଭାଇରାଲ ଅଡିଓକୁ ନେଇ କଲେ କଟାକ୍ଷ

କଟକ,ଏନ୍ଏନ୍ଏସ୍: ପୁଣି ବର୍ଷାଙ୍କ ଉଦ୍ଦେଶ୍ୟରେ ଅନୁଭବଙ୍କ ଟ୍ବିଟ୍ । ପୂର୍ବରୁ ଭାଇରାଲ ହୋଇଥିବା ଅଡିଓକୁ ନେଇ କଟାକ୍ଷ କଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଅଡିଓଟିରେ କିଛି ମହିଳା ପରସ୍ପର ସହିତ ମୋବାଇଲରେ ବାର୍ତ୍ତାଳାପ କରୁଛନ୍ତି । ଏହି ଅଡିଓଟି ବର୍ଷା ଓ ତାଙ୍କ ଭଉଣୀମାନଙ୍କର ବା ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ବର୍ଷାଙ୍କୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନୁହେଁ । କିନ୍ତୁ ସେ ଓ ତାଙ୍କର ପରିବାର ଭୋଗୁଥିବା ମାନସିକ କଷ୍ଟ ଓ ନିର୍ଯାତନାକୁ ନେଇ ସେ ବିବ୍ରତ ରହୁଥିବା ସାଂସଦ କହିଛନ୍ତି । ଏଥିସହ ଏହା ଏକ ବନ୍ଧୁତ୍ବପୂର୍ଣ୍ଣ ଟ୍ବିଟ୍ ବୋଲି ଅନୁଭବ ଶେଷରେ ଉଲ୍ଲେଖ କରିଛନ୍ତି ।

ଅନୁଭବ ବର୍ଷାଙ୍କ ଉଦ୍ଦେଶ୍ୟର ଟ୍ବିଟ୍ କରିଛନ୍ତି, ”ଲକ୍ଷ ଲକ୍ଷ ଲୋକେ ବିଶେଷକରି ମୋର ଫିଲ୍ମ ଓ ରାଜନୈତିକ ସହଯୋଗୀ ମୋତେ ପ୍ରଶ୍ନ କରୁଛନ୍ତି । ଭାଇରାଲ ହେଉଥିବା ଅଡିଓ କ୍ଲିପ୍‌ଟି ତୁମେ ଓ ତୁମ ଭଉଣୀଙ୍କର ନା ନୁହେଁ, ପ୍ରତିଟି ଲୋକ ଏହାକୁ ଜାଣିବାକୁ ଚାହୁଁଛନ୍ତି ।” ଏହା ହଁ ନା ନାହିଁ ବୋଲି ସେ ବର୍ଷାଙ୍କୁ ପ୍ରଶ୍ନ କରିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ, ”ତୁମକୁ ଆଘାତ ଦେବା କିମ୍ବା ତୁମର ଛବି ନଷ୍ଟ କରିବା ମୋର ଉଦ୍ଦେଶ୍ୟ ନୁହେଁ । ମୁଁ ତୁମକୁ ସମ୍ମାନ ଦିଏ । ହେଲେ ଅନେକ ଥର ଅପମାନିତ ଏବଂ ନିର୍ଯାତିତ ହେବା ପରେ ମୁଁ ଏହି ଟ୍ବିଟ୍ କରିବାକୁ ବାଧ୍ୟ ହେଉଛି । ମୋ ପୁରା ପରିବାର ଶାରିରୀକ ଓ ମାନସିକ ସ୍ତରରେ କଷ୍ଟ ଅନୁଭବ କରୁଛନ୍ତି ।”

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦକୁ ନେଇ ଦୀର୍ଘ ଦିନ ହେଲାଣି ଚର୍ଚ୍ଚା ଲାଗି ରହିଛି । ନିକଟରେ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟରେ ଦାୟର କରିଥିବା ପିଟିସନକୁ ପ୍ରତ୍ୟାହାର କରି ନେଇଛନ୍ତି । କଟକ ପରିବାର ଅଦାଲତରେ ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାହ ବିଚ୍ଛେଦ ମାମଲାରେ ସାଂସଦ ଅନୁଭବ ମହାନ୍ତିଙ୍କୁ ପୁଣିଥରେ ଜେରା ପାଇଁ ବର୍ଷା ଏହି ପିଟିସନ ଦାୟର କରିଥିଲେ । ମାତ୍ର ପରିବାର ଅଦାଲତ ଏହାକୁ ଖାରଜ କରିଦେବାରୁ ଅଭିନେତ୍ରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।