ଓଟିଇଟି ଉତ୍ତର ସିଟ୍‌ ଭାଇରାଲ ଘଟଣା, ପରୀକ୍ଷା ବାତିଲ

ମାଲକାନଗିରି,ଏନ୍ଏନ୍ଏସ୍: ପରୀକ୍ଷା ପୂର୍ବରୁ ଉତ୍ତର ସିଟ ଭାଇରାଲ ଘଟଣା । ଜିଲ୍ଲାର ତିନୋଟି ସେଣ୍ଟରରେ ହେଉଥିବା ପରୀକ୍ଷା ବାତିଲ ହୋଇଛି । ପୁନଃ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଅଗଷ୍ଟ ୨୯ ତାରିଖରେ ମାଲକାନଗିରି ସଦର ମହକୁମାର ତିନୋଟି ପରୀକ୍ଷା ସେଣ୍ଟରରେ ପ୍ରଶ୍ନପତ୍ର ଲିକ ହୋଇଥିଲା ।

ମାଲକାନଗିରି ସଦର ମହକୁମାରେ ଥିବା ସରକାରୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମୋଟ ୮୭୭ ଜଣ ଓଟିଇଟି ପରୀକ୍ଷା ଦେଇଥିଲେ । ହେଲେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ବାହାରେ ଲିକ୍ ହୋଇଯାଇଥିଲା । ଯାହା ସମଗ୍ର ଅଞ୍ଚଳରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପରୀକ୍ଷା ପ୍ରଶ୍ନର ଉତ୍ତର ୫ ହଜାର ଟଙ୍କାରେ ବିକ୍ରି ହୋଇଥିବା ଅଭିଯୋଗ ହୋଇଥିଲା ।

ପ୍ରକାଶ ଥାଉକି, ପୂର୍ବରୁ ଯେଉଁ ଶିକ୍ଷକମାନେ ଓଟିଇଟି ପରୀକ୍ଷା ନଦେଇ ପ୍ରାଥମିକ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଥିଲେ, ସେମାନଙ୍କୁ ଓଡିଶା ମାଧ୍ୟମିକ ଶିକ୍ଷା ବିଭାଗ ଓଟିଇଟି ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବା ପାଇଁ ଏହା ଥିଲା ଶେଷ ସୁଯୋଗ । ତେଣୁ ଚାକିରି ବଞ୍ଚାଇବା ଲାଗି ଶିକ୍ଷକମାନେ କଳେ ବଳେ କୌଶଳେ ଓଟିଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଲାଗି ପ୍ରୟାସ ଚଳାଇଥିଲେ। ଗତ ୨୯ ତାରିଖ ସକାଳ ୮ଟା ରୁ ୧୦.୩୦ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ଓଟିଇଟି ପରୀକ୍ଷା ଲାଗି ବୋର୍ଡ କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ଗୁଡିକ ଗତ ୨୭ ତାରିଖ ଦିନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସୁରକ୍ଷା ବଳୟ ମଧ୍ୟରେ ରଖିଥିଲା । ୨୯ ତାରିଖ ଦିନ ୩ଟି ପରୀକ୍ଷା କେନ୍ଦ୍ରକୁ ସକାଳ ୮ଟା ପୂର୍ବରୁ ନିଆଯାଇଥିଲା । ପରୀକ୍ଷା ଦେବା ପୂର୍ବରୁ ପ୍ରଶ୍ନ ପତ୍ର ଲିକ୍ ହୋଇ ଉତ୍ତର ସିଟ ଭାଇରାଲ ହୋଇଥିଲା ଏବଂ ଏହାକୁ ୫ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଚର୍ଚ୍ଚା ହୋଇଥିଲା ।

ଏହାକୁ ତଦନ୍ତ କଲା ପରେ ବହୁ ସଂଖ୍ୟାରେ ପରୀକ୍ଷାର୍ଥୀମାନେ ମାଲ ପ୍ରାକ୍ଟିସ କରିଥିବା ମାଧ୍ୟମିକ ଶିକ୍ଷା ବିଭାଗ ସ୍ବୀକାର କରି ୩ଟି କେନ୍ଦ୍ରରେ ଅନୁଷ୍ଠିତ ପ୍ରଥମ ସିଟିଂ ଓଟିଇଟି ପରୀକ୍ଷାକୁ ବାତିଲ କରିଛି । ପୁନଶ୍ଚ ଦିନ ଧାର୍ଯ୍ୟ କରି ଖୁବଶୀଘ୍ର ପରୀକ୍ଷା କରାଯିବ ବୋଲି ବିଭାଗ ସୂଚନା ଦେଇଛି। ଏହା ବ୍ୟତୀତ ଯେଉଁମାନେ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ , ଏହି ପରୀକ୍ଷାରେ ଅଂଶ ଗ୍ରହଣ ନକରିବାକୁ ବିଜ୍ଞପ୍ତି ପତ୍ର ସଂଖ୍ୟା ୮୦୮ / ତା : ୧୨ / ୦୯ / ୨୦୨୨ ରେ ପ୍ରକାଶ କରାଯାଇଛି ।