ଆଜିଠୁ ପିଜି ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକତ୍ତୋର (ପିଜି) ପାଠ୍ୟକ୍ରମରେ ଆଜିଠୁ (ଶୁକ୍ରବାର) ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ମେଧା ତାଲିକା ପ୍ରକାଶ ପାଇବା ପରେ ଆଜିଠୁ ପିଜି ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଆଜି ଓ ଆସନ୍ତାକାଲି (ଶନିବାର) ନାମ ଲେଖାଇବେ । ସେପ୍ଟେମ୍ବର ୨୩ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ସିଟ ଆଲର୍ଟମେଣ୍ଟ କରାଯିବ ।

୭୩ଟି ଶିକ୍ଷାନୁଷ୍ଠାନର ୧୫ ହଜାର ୭୦୯ ସିଟ୍‌ରେ ନାମଲେଖା ଲାଗି ୫୬ ହଜାର ୮୦ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର‌୍ୟ୍ୟାୟରେ ୪୨ ହଜାର ୧୬ ଜଣଙ୍କ ଆବେଦନକୁ ବିଚାରକୁ ନିଆଯିବା ସହ ୧୧ ହଜାର ୯୮୪ ଜଣଙ୍କୁ ସିଟ୍ ଆ‌ଲଟ୍‌ମେଣ୍ଟ ହୋଇଛି । ୨୦ ହଜାର ୪୫୨ ଜଣ ଛାତ୍ରଙ୍କ ମଧ୍ୟରୁ ୪୬୪୫ ଜଣ ଚୟନ ହୋଇଥିବା ବେଳେ ୩୫ ହଜାର ୬୨୨ ଜଣ ଛାତ୍ରୀଙ୍କ ମଧ୍ୟରୁ ୭୩୩୯ ଜଣ ନାମଲେଖା ଲାଗି ମନୋନୀତ ହୋଇଛନ୍ତି ।

ଆଜି ଓ ଆସନ୍ତାକାଲି ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ‌ହେବ । ସେପ୍ଟେମ୍ବର ୨୩ରେ ଦ୍ବିତୀୟ ପର‌୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ୨୪ ଓ ୨୫ ତାରିଖରେ ଦ୍ବିତୀୟ ପର‌୍ୟ୍ୟାୟ ନାମଲେଖା ହେବ । ୨୯ ତାରିଖରେ ପ୍ରୋଭିଜନାଲ ଖାଲି ସିଟ୍ ତାଲିକା ସାମ୍‌ସ ୱେବସାଇଟ୍‌ରେ ପ୍ରକାଶ ପାଇବ । ଏଥିରେ ନାମଲେଖା ପାଇଁ ଅକ୍ଟୋବର ୧୦ରେ ସ୍ପଟ ସିଟ ତାଲିକା ପ୍ରକାଶ ପାଇବ ।