ଶିଶୁଙ୍କ ସୁରକ୍ଷା ଦିଗରେ ଆଉ ଏକ ସଫଳତା, ରାଜ୍ୟସ୍ତରରେ ପୁରସ୍କୃତ ହେବ ବୌଦ୍ଧ

ବୌଦ୍ଧ,ଏନ୍ଏନ୍ଏସ୍: ଶିଶୁ ସୁରକ୍ଷା ଦିଗରେ ଜିଲ୍ଲା ପ୍ରଶାସନକୁ ଆଉ ଏକ ସଫଳତା। ଶିଶୁଙ୍କ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସ୍ତରରେ ପୁରସ୍କୃତ ହେବାକୁ ଯାଉଛି ବୌଦ୍ଧ ଜିଲ୍ଲା। ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ଏକ ଶିଶୁକୁ ୫୦ ହଜାର ଟଙ୍କାରେ ବିକ୍ରି କରି ଦିଆଯାଇଥିବା ଚାଇଲ୍ଡ ଲାଇନରେ ଅଭିଯୋଗ ହୋଇଥିଲା। ଚାଇଲ୍ଡ ଲାଇନର ସଦସ୍ୟ ମନମୁଣ୍ଡା ପୁଲିସର ସହାୟତାରେ ଶିଶୁଟିକୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଥିଲେ। ସମିତି ତ୍ୱରିତ ପଦକ୍ଷେପ ଗ୍ରହଣ କରି ଉକ୍ତ ଶିଶୁକୁ ତାର ପ୍ରକୃତ ପିତାମାତାଙ୍କୁ ତଦନ୍ତ ପରେ ହସ୍ତାନ୍ତର କରିଥିଲେ।

ବୌଦ୍ଧ ଜିଲ୍ଲା ପ୍ରଶାସନ, ଶିଶୁଙ୍କ ସୁରକ୍ଷା ପାଇଁ ବିଶେଷ ସମ୍ବେଦନଶୀଳ ଥିବାରୁ କେବଳ କରୋନା ସମୟରେ ଅସହାୟ ହୋଇପଡିଥିବା ୫୨୬ ଜଣ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିଛନ୍ତି। ଏହାଛଡା ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବାଲ୍ୟବିବାହ, ଶିଶୁ ଶ୍ରମିକ ଓ ଅବହେଳିତ ଶିଶୁଙ୍କ ସୁରକ୍ଷା ଦିଗରେ ଯଥେଷ୍ଟ ପଦକ୍ଷେପ ନେଇଛି। ଜିଲ୍ଲା ପ୍ରଶାସନର ଏଭଳି ଉଲ୍ଲେଖନୀୟ ଅବଦାନ ପାଇଁ ଆସନ୍ତା ନଭେମ୍ବର ଏକ ତାରିଖରେ ଜିଲ୍ଲାକୁ ସମଗ୍ର ରାଜ୍ୟରେ ପ୍ରଥମ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।